ଚିତ୍ରକୋଣ୍ଡାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି

ଚିତ୍ରକୋଣ୍ଡା, ୨୫।୩(ଡି.ଏନ୍‌.ଏ.): ସାରା ପୃଥିବୀରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରଥମେ ମାର୍ଚ୍ଚ ୩୧ ଓ ପରେ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଜିଲା ପ୍ରଶାସନ ତରଫରୁ ଏକ ବ୍ଲକସ୍ତରୀୟ ଟିମ୍‌ ଯଥା ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବର, ତହସିଲଦାର ଟି. ପଦ୍ମନାଭ ଦୋରା, ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ବାଇଁ ଓ ସ୍ଥାନୀୟ ବିଡିଓ ଲରିମନ ଖରସେଲଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ସହର ତଥା ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ନିଜ ଘରେ ରହିବାକୁ କୁହାଯାଉଛି। ଏଥିପାଇଁ ଚିତ୍ରକୋଣ୍ଡାରେ ସମସ୍ତ କାର୍ଯ୍ୟ ବନ୍ଦ ଥିତ୍ବା ଦେଖିବାକୁ ମିଳିଥିବା ବେଳେ ପୋଲିସ ତରଫରୁ ସୀମାନ୍ତରେ କଡ଼ା କଟକଣା କରାଯାଇଛି। ଏଥିପାଇଁ ଜନସାଧାରଣ ନିଜେ ସତର୍କ ହେଉଛନ୍ତି। ଅତି ଜରୁରୀ ପଡ଼ିଲେ ଲୋକେ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି।