ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ଘଟଣା: ୭ ଗିରଫ, କମ୍ପାନୀକୁ ସିଲ୍‌ କଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍କନ କମ୍ପାନୀର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ୭ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କମ୍ପାନୀର ଜେନେରାଲ ମ୍ୟାନେଜର ପ୍ରଭିକ ପିଲାଇ(୩୪), ପ୍ରଡକ୍ସନ ମ୍ୟାନେଜର ଜୟଦେବ କେ.ଏସ୍‌.(୩୧), ଏଚ୍‌ଆର୍‌ ମ୍ୟାନେଜର ନେଦିହେସ୍‌ ପ୍ରକାଶ(୨୭), ସୁପରଭାଇଜର ରବିନ୍ଦ୍ରନାଥ ପରିଡା(୪୦), ସିଫ୍ଟ ଇନ୍‌ଚାର୍ଜ ବୁଲୁ ସ୍ବାଇଁ(୩୫), ସେଫ୍ଟି ମ୍ୟାନେଜର ରମାକାନ୍ତ ମହାପାତ୍ର(୩୯), ସୁପରଭାଇଜର(ପିପିଏଚ୍‌) ରାକେଶ ଧଳ(୨୬)। ଖନ୍ତାପଡ଼ା ଥାନାରେ ମାମଲା(ନଂ. ୩୫୮/୧୯) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅପରପକ୍ଷେ କେଉଁ କାରଣରୁ ଗ୍ୟାସ ଲିକ୍‌ ହେଲା ସେ ନେଇ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ଏହି ଚିଙ୍ଗୁଡ଼ି ପ୍ରୋସେସିଂ କମ୍ପାନୀରେ ଗ୍ୟାସ ଲିକ୍‌ ଯୋଗୁ ବୁଧବାର ରାତିରେ ଶହେରୁ ଊର୍ଦ୍ଧ୍ୱ ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥମାନଙ୍କୁ ବାଲେଶ୍ୱର ଜିଲା ଚିକିତ୍ସାଳୟ ଏବଂ ଖନ୍ତାପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ମଧ୍ୟ ୬ ଜଣିଆ ଫରେନ୍‌ଶିକ୍‌ ଟିମ୍‌ ସେଠାରେ ପହଞ୍ଚିଥିଲେ। ଏଥିସହ ଜିଲା ପ୍ରଶାସନ ପକ୍ଷରୁ କମ୍ପାନୀକୁ ସିଲ୍‌ କରିଦିଆଯାଇଛି। ଏଥିସହ କମ୍ପାନୀ ପରିସରରେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।