ଚିକେନ୍‌, ଅଣ୍ଡା ଘରେ ପହଞ୍ଚାଇବ ଓପୋଲଫେଡ୍‌

ଭୁବନେଶ୍ୱର,୧୫ା୬(ବ୍ୟୁରୋ)- ଓପୋଲ୍‌ଫେଡ୍‌ ତରଫରୁ ରଜ ସଂକ୍ରାନ୍ତି ଉପଲକ୍ଷେ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ଲାଗି ଓପୋଲ୍‌ଫେଡ୍‌ ପକ୍ଷରୁ ଗ୍ରାହକଙ୍କ ଘରେ ସେବା ଯୋଗାଇଦେବାର ବ୍ୟବସ୍ଥା କରିଛି। ଭୁବନେଶ୍ୱରର ଗ୍ରାହକଙ୍କ ପାଇଁ ସୋମବାରଠାରୁ ଏହି ଅନ୍‌ଲାଇନ୍‌ ସେବାର ଶୁଭାରମ୍ଭ କରାଯାଇଛି। ଏଣିକି ଭୁବନେଶ୍ୱର ବାସିନ୍ଦା ଓପୋଲ୍‌ଫେଡ୍‌ରୁ ଚିକେନ୍‌, ଅଣ୍ଡା ସହ ବିଭିନ୍ନ ଆମିଷ ସାମଗ୍ରୀ ଅନ୍‌ଲାଇନ୍‌ରେ ଅର୍ଡର କରି ହୋମ୍‌ ଡେଲିଭରୀ ପାଇପାରିବେ। ତେବେ ପ୍ରଥମଦିନ ଭୁବନେଶ୍ୱରରେ ୧ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକ ଏହାର ଲାଭ ଉଠାଇଛନ୍ତି। ପ୍ରତି ଅର୍ଡର ପାଇଁ ଡେଲିଭରୀ ଚାର୍ଜ ୫୦ ଟଙ୍କା ରହିଥିବାବେଳେ ଆଗାମୀଦିନରେ ଓପୋଲଫେଡ୍‌ ଏହି ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ଯୋଜନା ରଖିଥିବା ଏହାର ଜିଏମ୍‌ ଡ. ବିମଲ କୁମାର ମହାପାତ୍ର କହିଛନ୍ତି। ଭୁବନେଶ୍ୱରରେ ଥିବା ଓପୋଲ୍‌ଫେଡ୍‌ ଚିକେନ୍‌ଫ୍ରେସ୍‌ର ୪ଟି ସେଣ୍ଟର ଓୟୁଏଟି କ୍ୟାମ୍ପସ, ଚନ୍ଦ୍ରଶେଖରପୁର, ଶହୀଦନଗର, ନୟାପଲ୍ଲୀ ଆଇଆର୍‌ସି ଭିଲେଜଠାରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି।