Categories: ନୂଆପଡ଼ା

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା ଅଫିସ,୬ା୮-
ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ । ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦୁଇ ଆଖିରେ ଦେଖିପାରୁ ନ ଥିବା ଡୁଲେଶ୍ୱର କାଳେତ (୮) ବର୍ତ୍ତମାନ ବିଦ୍ୟାଳୟ ଯାଇପାରୁନାହାନ୍ତି । ନୂଆପଡ଼ା ଜିଲା କୋମନା ବ୍ଲକ ଗଣ୍ଡାମେର ଗ୍ରାମପଞ୍ଚାୟତ ସେମେଲପାଲି ଗାଁର ମା’ ଭଗିନୀ ଏବଂ ବାପା ସୁରୁ କାଳେତଙ୍କ ଗୋଟିଏ ବୋଲି ପୁଅ ଡୁଲେଶ୍ୱର । ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନ ଥିବାରୁ ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଛି ।
ଗାଁ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ଜନ୍ମରୁ ଠିକଠାକ ଥିଲେ । ଆଜିକୁ ୬ ମାସ ତଳେ ଆଖି ଦୁଇଟିକୁ ଝାପସା ଦେଖାଗଲା । ଏହାକୁ ନେଇ ବିଭିନ୍ନ ହସ୍ପିଟାଲ ବୁଲିବା ପରେ ମଧ୍ୟ ଠିକ ହୋଇ ନ ଥିଲା । ଶେଷରେ ତାଙ୍କୁ ରାୟପୁରକୁ ନେଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରି ଅପରେସନ କରାଗଲା । ହେଲେ ସେହି ଦିନଠାରୁ କୁଆଡେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଲା । ଆଖି ଦୁଇଟିକୁ ଆଉ ଆଦୌ ଦେଖାଗଲା ନାହିଁ । କିଛି ବି ଦେଖି ନ ପାରି ମା’ବାପାଙ୍କ ଆଶ୍ରୟ ବିନା କୁଆଡେ ବି ଯାଇପାରୁନାହାନ୍ତି । ତେଣୁକରି ସେହି ଦିନଠାରୁ ସେ ଆଉ ସ୍କୁଲକୁ ଯାଇପାରୁନାହାନ୍ତି । ବାପା ସୁରୁଙ୍କର ଜମିବାଡି ବୋଲି କିଛି ନ ଥିବାବେଳେ ଘରେ ରୋଜଗାର କରିବାକୁ ଆଉ କେହି ନାହିଁ । ଛୁଆର ଚିକିତ୍ସା ପାଇଁ ସବୁ କିଛି ବିକ୍ରି କରିସାରିଛନ୍ତି । ବର୍ତ୍ତମାନ ନିରାଶ୍ରୟ ହୋଇ ସୋମବାର ନୂଆପଡାକୁ ଆସି ଜିଲାପାଳ ମଧୁସ୍ମିତା ସାହୁଙ୍କୁ ଭେଟିଥିଲେ ା ତାଙ୍କର ଚିକିତ୍ସା ପାଇଁ ଗୁହାରି କରିଥିବାବେଳେ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ସକାଶେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସେ ଯା ହେଉ ଡୁଲେଶ୍ୱର ନିଜର ସୁଖଦ ବାଲ୍ୟକାଳ ଫେରି ପାଇବେ ବୋଲି ଆଶା ବାନ୍ଧିଛନ୍ତି ।