Categories: ଜାତୀୟ

ଚିକିତ୍ସା କରୁଥିବା ଡାକ୍ତର କରୋନାରେ ସଂକ୍ରମିତ

ଲକ୍ଷ୍ନୌ,୧୮।୩: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌କୁ ରୋକିବା ପାଇଁ ସବୁ ଦେଶ ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ସରକାର ସ୍କୁଲ, କଲେଜ, ମଲ୍‌, ସିନେମାହଲ୍‌ ଆଦି ବନ୍ଦ କରିବା ସହ ଗୋଟିଏ ସ୍ଥାନରେ ଏକତ୍ରିତ ହେବା ପାଇଁ ଲୋକଙ୍କ ବାରଣ କରାଯାଇଛି। କରୋନା ଭାଇରସ୍‌ରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ସତର୍କତା ଅବଲମ୍ବନ କରୁଥିବା ବେଳେ ଏହାରି ଭିତରେ ଏକ ହସ୍ପିଟାଲଠାରୁ ବଡ଼ ଭୁଲ ହୋଇଯାଇଛି। ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଥିବା କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟିର ଜଣେ ଜୁନିୟର ଡାକ୍ତରଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ସହିତ ଲକ୍ଷ୍ନୌରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ରିପୋର୍ଟ ଆସିବା ପରେ ଉକ୍ତ ଡାକ୍ତରଙ୍କୁ ଆଇସୋଲେଶନ୍‌ରେ ରଖାଯାଇଛି। ଏଥିସହ ଉକ୍ତ ଡାକ୍ତର ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ମଧ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୀଡିତ ଡାକ୍ତର ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିଲେ। କିଛି ଦିନ ପରେ ଉକ୍ତ ଡାକ୍ତରଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବାରୁ ରକ୍ତ ନମୂନା ଯାଞ୍ଚ କରାଯାଇଥିଲା। ତେବେ ବୁଧବାର ରିପୋର୍ଟରେ ସେ ସଂକ୍ରମିତ ଥିବା ଜଣାପଡ଼ିଛି। ଏହାପରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୩ ହୋଇଛି।

Share