ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ: ଡାକ୍ତରଖାନାରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୨୮ା୫: ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଗୁରୁବାର ଚିକିତ୍ସା ଅବହେଳା ଯୋଗୁ ଜଣେ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୋଗ ଅନୁସାରେ ଲଖନପୁର ବ୍ଲକ ରେଙ୍କୁଳି ଗ୍ରାମର ଦୁର୍ଲବ ତାଣ୍ଡିଆଙ୍କ ସ୍ତ୍ରୀ ତପସ୍ବିନୀଙ୍କୁ ପ୍ରସବ ବେଦନା ହେବାରୁ ବୁଧବାର ସକାଳ ୭ଟା ୩୦ରେ ଏହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆରମ୍ଭରୁ ଡାକ୍ତର କିମ୍ବା ନର୍ସମାନେ ତପସ୍ବିନୀଙ୍କୁ ଚିକିତ୍ସା କରିବା ନେଇ ଗୁରୁତ୍ୱ ଦେଉ ନ ଥିଲେ। ତେବେ ତପସ୍ବିନୀଙ୍କ ପ୍ରସବ ବେଦନା ବଢ଼ିବାରୁ ଗୁରୁବାର ସକାଳେ ତାଙ୍କ ପରିବାର ଲୋକ ଡାକ୍ତର ଓ ନର୍ସଙ୍କ ନିକଟରେ ଗୁହାରି କରିଥିଲେ। ପରେ ଅପରେଶନ ପାଇଁ ଡାକ୍ତର କହିଥିଲେ। ଗୁରୁବାର ପୂର୍ବାହ୍ନ ୧୧ଟାରେ ଅପରେଶନ କରିଥିଲେ। ମାତ୍ର ତପସ୍ବିନୀ ଏକ ମୃତ ଶିଶୁ ଜନ୍ମ ଦେଇଥିବା ଡାକ୍ତର ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ତେବେ ଆରମ୍ଭରୁ ତପସ୍ବିନୀଙ୍କୁ ଚିକିତ୍ସା ଠିକ୍‌ ଭାବେ କରି ନ ଥିବାରୁ ମୃତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜଗଦୀଶ ଚନ୍ଦ୍ର ବାରିକଙ୍କୁ ପଚାରିବାରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।