Categories: ବାଣିଜ୍ୟ

ଚାଷୀଙ୍କୁ ସିଧାସଳଖ ସାର ସବ୍‌ସିଡି ଦେବାକୁ ବିଚାର

ନୂଆଦିଲ୍ଲୀ,୭-୬: କେନ୍ଦ୍ର ସରକାର ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି)ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ଚାଷୀଙ୍କୁ ସାର ସବ୍‌ସିଡି ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଦେବାକୁ ବିଚାର କରାଯାଉଛି। ସାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅକ୍ଟୋବର, ୨୦୧୭ରେ ସରକାର ଡିବିଟି ଅଧୀନରେ ସାର ସବ୍‌ସିଡିର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲେ। ଏହା ଅଧୀନରେ ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ମେଶିନ ମାଧ୍ୟମରେ ହୋଇଥିବା ବିକ୍ରି ଆଧାରରେ ଯାଞ୍ଚ କରି କମ୍ପାନୀଙ୍କୁ ସବ୍‌ସିଡି ଟ୍ରାନ୍ସଫର କରାଯାଉଥିଲା। ସୂଚନାଥାଉ କି, ସରକାର ସାର ସବ୍‌ସିିଡି ବାବଦରେ ବାର୍ଷିକ ପ୍ରାୟ ୭୦ ହଜାର କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ବହନ କରୁଛନ୍ତି। ତେବେ ଡିବିଟିର ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ସବ୍‌ସିଡି ପହଞ୍ଚାଇବାର ଯୋଜନା କରାଯାଉଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ଏହାକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। ଏହାକୁ କେବେ ଏବଂ କିଭଳି ଢଙ୍ଗରେ ଲାଗୁ ହେବ ସେ ନେଇ ଆଲୋଚନା ହେଉଛି ବୋଲି ସେ କହିଛନ୍ତି।

Share