ଚାଲିବ ୧୦ ସ୍ବତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ୍‌: ରାଜକୀୟ ଆତିଥ୍ୟ ପାଇବା ସହ ପର୍ଯ୍ୟଟନସ୍ଥଳୀ ବୁଲିବେ ଯାତ୍ରୀ

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ରାଜସ୍ବ ବୃଦ୍ଧି ସହ ବିଳାସପୂର୍ଣ୍ଣ ସେବା କ୍ଷେତ୍ରକୁ ଆହୁରି ଆଗକୁ ନେବାକୁ ଭାରତୀୟ ରେଳପଥ ନୂଆ ପଦକ୍ଷେପ ଗ୍ରହଣ କରିଛି। ଯାତ୍ରୀଙ୍କୁ ରାଜକୀୟ ଆତିଥେୟତା ପ୍ରଦାନ ସହ ପର୍ଯ୍ୟଟନସ୍ଥଳୀ ବୁଲାଇବା ପାଇଁ ଖୁବ୍‌ଶୀଘ୍ର ଆଉ ୧୦ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହେବ। ଏଥିପାଇଁ ଇଣ୍ଡିଆନ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ ଲିମିଟେଡ଼ (ଆଇଆର୍‌ସିଟିସି) ୨୦୦ ସେଲୁନ (ସ୍ବତନ୍ତ୍ର କୋଚ୍‌)କୁ ୧୦ ବିଳାସପୂର୍ଣ୍ଣ ଟ୍ରେନ୍‌ରେ ପରିଣତ କରିବାକୁ ଯାଉଛି। ଗୋଟିଏ ସେଲୁନ୍‌ରେ ୨ ବେଡ୍‌ରୁମ୍‌, କିଚେନ୍‌, ଲାଟିନ୍‌, ବାଥରୁମ୍‌, ପେଣ୍ଟ୍ରି ଓ ଲାଉଞ୍ଜ ବ୍ୟବସ୍ଥା ରହିଛି। ପର୍ଯ୍ୟଟକମାନେ ୫ଦିନ ପର୍ଯ୍ୟନ୍ତ କୋଚ୍‌ ବାହାରକୁ ନ ବାହାରି ମଧ୍ୟ ସବୁକିଛି ସୁବିଧା ପାଇପାରିବେ। ଆଗାମୀଦିନରେ ଆଇଆରସିଟିସି କେବଳ ଟୁଣ୍‌ ପ୍ୟାକେଜ୍‌ ପାଇଁ ଏଭଳି ୨୦ଟି ସ୍ବତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ୍‌ର ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଭାରତୀୟ ରେଳପଥ ନିକଟରେ ୩୩୬ ସେଲୁନ୍‌ ରହିଛି। ଏଥିମଧ୍ୟରୁ ୨୦୦ ସେଲୁନ୍‌କୁ ରେଲ୍‌ଓ୍ବେ ଅତିରିକ୍ତ ରାଜସ୍ବ ଉପାର୍ଜନ କରିବା ପାଇଁ ବ୍ୟବହାର କରିବାକୁ ଯୋଜନା କରୁଛି। ତେବେ ୧୦ ବିଳାସପୂର୍ଣ୍ଣ ଟ୍ରେନ ଭିତରୁ ଓଡ଼ିଶା ତଥା ପୂର୍ବତଟ ରେଳପଥକୁ ଗୋଟିଏ ମିଳିବାର ସମ୍ଭାବନା ରହିଛି। ଏହାଦ୍ୱାରା ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପ୍ରତି ରାଜ୍ୟ ବାହାରର ପର୍ଯ୍ୟଟକ ଖୁବ୍‌ ଆକୃଷ୍ଟ ହେବେ। ପୂର୍ବରୁ ଆଇଆର୍‌ସିଟିସି ବିଭିନ୍ନ ଟୁର୍‌ ପ୍ୟାକେଜ୍‌ରେ ପୁରୀ, କୋଣାର୍କ, ରତ୍ନଗିରିକୁ ସାମିଲ କରିଥିଲା। ଏହି ଟୁର୍‌ ପ୍ୟାକେଜ୍‌ ସଫଳ ହୋଇଥିବାବେଳେ ବିଳାସପୂର୍ଣ୍ଣ ଟ୍ରେନ ବ୍ୟବସ୍ଥା କରାଗଲେ ଓଡ଼ିଶାକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ବୋଲି କୁହାଯାଉଛି। ରେଳପଥ ନିକଟରେ ରହିଥିବା ସେଲୁନ୍‌ଗୁଡ଼ିକ ଭିତରୁ ଅଧିକାଂଶ ବ୍ୟବହାର ହେଉନି। ସେଗୁଡିକୁ ପୁନରୁଦ୍ଧାର କରାଯାଇ ବିଳାସପୂର୍ଣ୍ଣ ଟ୍ରେନରେ ପରିଣତ କରାଯିବ, ଯେଉଁଥିରେ ତାରକା ହୋଟେଲ୍‌ ଭଳି ସୁବିଧା ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଏହି ସେଲୁନ୍‌ଗୁଡ଼ିକ ପ୍ରଥମେ ରେଳପଥର ବିଭିନ୍ନ କାର୍ଯ୍ୟ ନିରୀକ୍ଷଣ ପାଇଁ ତିଆରି କରାଯାଇଥିଲା। ତେବେ ସ୍ବତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ୍‌ ତିଆରି ହୋଇଯିବାପରେ ବଳକା ସେଲୁନ୍‌ଗୁଡିକୁ ରେଲ୍‌ଓ୍ବେର ସମସ୍ତ ୧୬ ଜୋନ୍‌ରେ କାର୍ଯ୍ୟ ନିରୀକ୍ଷଣ ପାଇଁ ରଖାଯିବ ବୋଲି ଜଣାପଡ଼ିଛି।