ଚାଲିପାରୁ ନ ଥିଲେ ସ୍ବାମୀ, ପିଠିରେ ବୋହି ଷ୍ଟେଶନ ନେଲେ ସ୍ତ୍ରୀ

କରୋନା ମହାମାରୀ ସଙ୍କଟ ବେଳେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢିବାକୁ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ନାନା ଅସୁବିଧାର ସାମ୍ନା କରୁଛନ୍ତି। ଶ୍ରମିକଙ୍କ ଏଭଳି ଦୁଃଖ ସମୟରେ ବିଭିନ୍ନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଜଣେ ଯୁବତୀ ନିଜ ପିତାଙ୍କୁ ସାଇକେଲରେ ବସାଇ ୧ ହଜାର କିମି ନେଇଥିବାବେଳେ ଏବେ ଜଣେ ମହିଳା ସ୍ବାମୀଙ୍କୁ ପିଠିରେ ବୋହି ନେଉଥିବା ଫଟୋ ଭାଇରାଲ ହୋଇଛି। କାନପୁର ସେଣ୍ଟ୍ରାଲ୍‌ ଷ୍ଟେଶନ ପାଖରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଜଳଗାଓଁରେ ରୁହନ୍ତି ଏହି ଦମ୍ପତି। ମହିଳାଙ୍କ ସ୍ବାମୀ ଦୀପକ ଉତ୍ତର ପ୍ରଦେଶର କାନପୁରରେ ବିଜୁଳି ବିଭାଗରେ ଠିକାଦାର କାମ କରୁଥିଲେ। ଦେଢ ମାସ ପୂର୍ବରୁ ଏକ ଦୁର୍ଘଟଣାରେ ତାଙ୍କର ଦୁଇ ଗୋଡ ଭାଙ୍ଗିଯାଇଥିଲା। ଫଳରେ ସେ ଭଲରେ ଚାଲି ପାରୁ ନ ଥିଲେ। ଦେଶରେ ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ହୋଇଯିବା ପରେ ସ୍ତ୍ରୀ ଜ୍ୟୋତି ତାଙ୍କୁ ପିଠି ବୋହି ଷ୍ଟେଶନ ପାଖକୁ ନେଇଥିଲେ। ସେଠାରୁ ପୁଷ୍ପକ ଏକ୍ସପ୍ରେସରେ ସେ ମୁମ୍ବାଇ ଅଭିମୁଖେ ଯାଇଥିଲେ।

Share