Categories: ଖେଳ

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଜନ୍ମଦାତା ଜନଶନଙ୍କ ମୃତ୍ୟୁ

ଷ୍ଟକ୍‌ହାମ, ୫।୬(ଏପି): ୟୁରୋପିଆନ ଫୁଟ୍‌ବଲର ପୂର୍ବତନ ସଭାପତି ଲିନ୍ନାର୍ଟ ଜନଶନଙ୍କ ୮୯ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୧୭ ବର୍ଷର କାର୍ଯ୍ୟକାଳରେ ଚାମ୍ପିୟନ୍ସ ଲିଗ୍‌ ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। କିଛିଦିନ ଧରି ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବିଡେନ୍‌ ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ କୁହାଯାଇଛି। ଜନଶନ ସର୍ବକାଳୀନ ଅନ୍ତର୍ଜାତୀୟ ଫୁଟ୍‌ବଲ ମୁଖ୍ୟ ଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ବିଡେନ୍‌ ଖେଳାଳିଙ୍କ ଅନ୍ତର୍ଜାତୀୟ ଫୁଟ୍‌ବଲରେ ଏତେ ପ୍ରଭାବ ନାହିଁ। ତାଙ୍କୁ ୟୁଫା ସଭାପତି ଓ ଉପସଭାପତି ଭାବେ ସମ୍ମାନ ଦିଆଯାଏ ବୋଲି ସ୍ବିଡିଶ୍‌ ଫୁଟ୍‌ବଲ ଆସୋସିଏଶନ ସଭାପତି କାର୍ଲ ଇରିିକ ନିଲସନ କହିଛନ୍ତି। ୟୁରୋପିଆନ କପ୍‌ ଟୁର୍ନାମେଣ୍ଟକୁ ହଟାଇ ଚାମ୍ପିୟନ୍ସ ଲିଗ୍‌କୁ ଆଣିବା ତାଙ୍କ ନିଷ୍ପତ୍ତି ଥିଲା। ଏହା ୟୁଫାର ବଡ଼ ସଫଳତା। ଏହା କ୍ଲବ ଫୁଟ୍‌ବଲ ଇତିହାସରେ ସବୁଠାରୁ ବଡ଼ ଟୁର୍ନାମେଣ୍ଟ, ଯାହାକୁ ସମଗ୍ର ବିଶ୍ୱରେ ଦେଖନ୍ତି। ପ୍ରାୟ ୨୦୦ ଦେଶରେ ଟୁର୍ନାମେଣ୍ଟ ପ୍ରସାରଣ ହେଉଛି। କିନ୍ତୁ ଜନଶନ ସର୍ବଦା ରେଫରିଙ୍କ ସହାୟତା ଲାଗି ଟେକ୍‌ନୋଲୋଜି ବ୍ୟବହାରକୁ ବିରୋଧ କରୁଥିଲେ। ସେ କହୁଥିଲେ ଫୁଟ୍‌ବଲ ଏକ ମଣିଷ ଖେଳ, ରୋବଟଙ୍କ ନୁହେଁ।

Share