ଚାନ୍ଦିପୁଟ ପଞ୍ଚାୟତ ବୁରନାଳ; ବିପଦପୂର୍ଣ୍ଣ ପୋଲରେ ହେଉଛି ଯାତାୟାତ

ଚନ୍ଦ୍ରଗିରି,୫ା୮(ଡି.ଏନ.ଏ.)-କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବର୍ତ୍ତମାନ ମଧ୍ୟ ନଦୀ/ନାଳ ଉପରେ ପୋଲଟିଏ ନ ଥିବାରୁ ଲୋକେ କାଠପୋଲରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ବାଙ୍କିଝୋଳା ଗ୍ରାମରେ। ଗ୍ରାମକୁ ସଂଯୋଗ କରୁଥିବା ବୁରନାଳରେ ଥିବା ଭଙ୍ଗା ପୋଲରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହ ସମସ୍ତ ଜନସାଧାରଣ ନୀତିଦିନ ଯିବାଆସିବା କରନ୍ତି। ବହୁ ବର୍ଷ ଧରି ବାଙ୍କିଝୋଳା, ଚଡିଆପଦା, ଜକରାପଲି ଗ୍ରାମ ସମେତ ୪ ପଞ୍ଚାୟତର ଲୋକେ ଦୈନନ୍ଦିନ ବଜାର ଯିବା, ଶିକ୍ଷା, ସ୍ବାସ୍ଥ୍ୟ ଆଦି ଗମନାଗମନ ପାଇଁ ଚାନ୍ଦିପୁଟ ପୋଲ ଉପରେ ନିର୍ଭର କରିଆସୁଛନ୍ତି। ଗତ ଫାଇଲିନ ବାତ୍ୟାରେ ଏହି ପୋଲଟିର ଦୁଇ କୂଳ ଖାଇଯାଇଥିବାରୁ ଏହା ଉପରେ କାଠ ପୋଲ ପକାଇ ଯାତାୟାତ କରୁଥିଲେ ଲୋକେ। କିନ୍ତୁ ତିତ୍‌ଲି ବାତ୍ୟାରେ ପୋଲଟିର ଛାତ ଭାସିଯାଇଥିଲା। ସେହି ଦିନଠାରୁ ଅଞ୍ଚଳବାସୀ ସେହି ଭଙ୍ଗା ପୋଲ ଉପରେ କାଠ ପକାଇ ବିପଦପୂର୍ଣ୍ଣ ଭାବେ ଯତାୟାତ କରୁଛନ୍ତି। ସାମାନ୍ୟ ବର୍ଷା ହେଲେ ନାଳର ଜଳସ୍ତର ବଢ଼ିଗଲେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛିି। ଉକ୍ତ ରାସ୍ତା ଉପରେ ପୁନଃ ପୋଲ ନିର୍ମାଣ ପାଇଁ ବହୁ ଜନପ୍ରତିନିଧିଙ୍କ ସମେତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ମୋହନା ବିଡିଓ ବଂଶୀଧର ଖୋସଲାଙ୍କୁ ପଚାରିବାରୁ ୨ ଦିନ ମଧ୍ୟରେ ସହକାରୀ ଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇ ପୁନଃ ପୋଲଟି ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ହେବ ଅନୁଧ୍ୟାନ କରି ଜିଲାପାଳଙ୍କୁ ଜଣାଇ ନିର୍ମାଣ କରାଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି।

 

–ଶ୍ରୀହରି ପ୍ରଧାନ