ଚାକିରି ନାଁରେ ଠକେଇ: ୟୁଏଇରେ ଫସିଛନ୍ତି ୯ ଭାରତୀୟ

ଦୁବାଇ,୨୨ା୭(ପି.ଟି.): ସୋସିଆଲ୍‌ ମିଡିଆରେ ଜାଲ୍‌ ନିଯୁକ୍ତି ଅଫର ପାଇ ୯ ଭାରତୀୟ ୟୁଏଇରେ ଫସିଛନ୍ତି। ଏମାନେ କେରଳରୁ ଯାଇ ଅଲ୍‌ ଆଇନ୍‌ ଓ ଅଜମାନ୍‌ରେ ଅଟକି ରହିଛନ୍ତି। ସେମାନେ ହ୍ବାଟ୍ସଆପ୍‌ ଜରିଆରେ ଶାଫିକ୍‌ ନାମକ ଜଣେ ଏଜେଣ୍ଟ ସଂସ୍ପର୍ଶରେ ଆସିଥିଲେ। ସେମାନେ ଭ୍ରମଣ ଭିଜା ପାଇଁ ତାଙ୍କୁ ୭୦ ହଜାର ଟଙ୍କା ଦେଇଥିଲେ। ଜାଲ୍‌ ବିଜ୍ଞାପନ ଦ୍ୱାରା ଭାରତୀୟମାନଙ୍କୁ ୟୁଏଇରେ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଯାଉଥିବାରୁ ଏଥିପ୍ରତି ସତର୍କ ରହିବାକୁ ଦୁବାଇରେ ଥିବା ଭାରତର କନ୍‌ସୁଲେଟ୍‌ ଜେନେରାଲ ପରାମର୍ଶ ଦେବା ପରେ ଏହି ଘଟଣା ପଦାକୁ ଆସିଛି। କେରଳ ମାଲାପୁରମ୍‌ ଜିଲାର ଫଜିଲ୍‌ ନାମକ ଯୁବକ କହିଛନ୍ତି, ସେ ହ୍ବାଟ୍ସଆପ୍‌ରେ ନିଯୁକ୍ତି ଅଫର ପାଇଥିଲେ। ୧୫ ଦିନ ମଧ୍ୟରେ ତାଙ୍କୁ ନିଯୁକ୍ତି ମିଳିବ ବୋଲି ଉକ୍ତ ବାର୍ତ୍ତାରେ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାକୁ ସେ ସତ ଭାବି ଫସିଗଲେ। ତାଙ୍କୁ ଅଲ୍‌ ଆଇନ୍‌ର ସୁପରମାର୍କେଟରେ ନିଯୁକ୍ତି ମିଳିଥିବା ଜଣେ ଏଜେଣ୍ଟ କହିବା ସହ ମାସକୁ ୨୨,୪୯୬ ଟଙ୍କା ବେତନ, ମାଗଣା ରହିବା ଓ ଖାଇବା ସୁବିଧା ମିଳିବ ବୋଲି ଜଣାଇଥିଲେ। ଫଜିଲ ୟୁଏଇ ଆସିବା ଲାଗି ତାଙ୍କ ମାଆଙ୍କ ସୁନା ଗହଣା ବନ୍ଧକ ରଖି ଟଙ୍କା ଯୋଗାଡ କରିଥିଲେ। ଏବେ ତାଙ୍କ ପାଖରେ ଚାକିରି ନାହିଁ କିମ୍ବା ଘରକୁ ଫେରିବା ଲାଗି ଟଙ୍କା ନାହିଁ ବୋଲି ସେ କହିିଛନ୍ତି।

Share