ଚାକିରି ନାଁରେ ଠକେଇ: ଜଣେ ଗିରଫ

କଟକ ଅଫିସ,୯ା୯ : ବିଦେଶରେ ଚାକିରି କରାଇ ଦେବାକୁ କହି ଟଙ୍କା ଠକି ନେବା ଅଭିଯୋଗରେ ବାଦାମବାଡି ପୋଲିସ ସେଖ୍‌ ମୋବିନ ନାମକ ଜଣେ ବ୍ୟକ୍ତିଙ୍କୁ ରବିବାର ଗିରଫ କରିଛି। ତାଙ୍କ ଘର ଚଣ୍ଡିଖୋଲ ଅଞ୍ଚଳରେ ହୋଇଥିବାବେଳେ ସେ ଦୀର୍ଘଦିନ ଧରି ବକ୍ସିବଜାର ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ।
ଅଭିଯୋଗ ଅନୁଯାୟୀ, କଟକସ୍ଥିତ ପିସି ସରକାର ଲେନ୍‌ର ପ୍ରଦୀପ କୁମାର ବେହେରା ଆଇଟିଆଇ ସାରିବା ପରେ ଚାକିରି ଅନୁସନ୍ଧାନରେ ଥିଲେ। ଏହି ସମୟରେ ସେ ମୋବିନଙ୍କ ସଂସ୍ପର୍ଶରେ ଆସିଥିଲେ। ସିଙ୍ଗାପୁରରେ ତାଙ୍କର ବଡ ବଡ କମ୍ପାନୀ ସହ ସମ୍ପର୍କ ଅଛି ଓ ସେ କମ୍ପାନୀରେ ଚାକିରି କରାଇ ଦେବେ ବୋଲି ପ୍ରଦୀପଙ୍କୁ କହିଥିଲେ। ଏପରି କି ବିଶ୍ୱାସ ଜିତିବା ପାଇଁ ମୋବିନ ତାଙ୍କୁ ସିଙ୍ଗାପୁରର ଜାଲ୍‌ କାଗଜପତ୍ର ଦେଖାଇଥିଲେ। ବିଦେଶରେ ଚାକିରି କରିବାକୁ ହେଲେ ଭିଜା ଓ ପାସ୍‌ପୋର୍ଟ ଦରକାର କହି ଏ ବାବଦରେ ପ୍ରଦୀପଙ୍କ ପାଖରୁ ୪୦ହଜାର ଟଙ୍କା ନେଇଥିଲେ। ଟଙ୍କା ପାଇବା ପରେ ମୋବିନଙ୍କ ଫୋନ ଲାଗି ନ ଥିଲା। ପ୍ରଦୀପ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ। କିଛିଦିନ ପରେ ମୋବିନ ଫୋନ୍‌ କରି ପ୍ରଦୀପଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ୧୦ହଜାର ଟଙ୍କା ଦେଲେ ତାଙ୍କୁ ସେ କାଗଜପତ୍ର କରାଇଦେବେ ବୋଲି କହିଥିଲେ। ପ୍ରଦୀପ ଟଙ୍କା ଦେବାକୁ ତାଙ୍କୁ କଟକ ଡାକିଥିଲେ। ହେଲେ ସେ କଟକ ନ ଆସି କନ୍ଦରପୁରରେ ଦେଖାହେବ ବୋଲି କହିଥିଲେ। ପରେ ପ୍ରଦୀପ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସର ୩ ଜଣିଆ ଟିମ ପ୍ରଦୀପଙ୍କୁ ନେଇ କନ୍ଦରପୁର ଯାଇଥିଲା। ପ୍ରଦୀପ କାଗଜପତ୍ର ପାଇଁ ମୋବିନଙ୍କୁ ଟଙ୍କା ଦେବାବେଳେ ସାଦା ପୋଷାକରେ ଥିବା ପୋଲିସ ତାଙ୍କୁ କାବୁ କରି ନେଇଥିଲେ। ପୋଲିସ ତାଙ୍କ ପାଖରୁ ୪୦ହଜାର ଟଙ୍କା ସମେତ ଜାଲ କାଗଜପତ୍ର ଜବତ କରିଛି। ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହିପରି ଅନେକ ଯୁବକଙ୍କୁ ସେ ଚାକିରି କରାଇ ଦେବା ବାହାନାରେ ଠକିଥିବା କଥା ପୋଲିସ ସନ୍ଦେହ କରୁଛି। ଏ ନେଇ ପୋଲିସ ତଦନ୍ତ ଚଳାଇଛି।