ଚାଉଳ ମିଳୁଛି, ହିତାଧିକାରୀ ଜାଣିନାହାନ୍ତି : ଲୁଟି ନେଉଛନ୍ତି ରିଟେଲର

ଜଗତ୍‌ସିଂହପୁର ଅଫିସ,୨୩ା୭: ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗରିବ ପରିବାରକୁ ଚାଉଳ, କିରୋସିନ ଆଦି ସାମଗ୍ରୀ ପ୍ରଦାନ ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ପରିତାପର ବିଷୟ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏସବୁ ସାମଗ୍ରୀ ପହଞ୍ଚତ୍ପାରୁନାହିଁ। କେତେକ କ୍ଷେତ୍ରରେ ଗରିବ ହିତାଧିକାରୀଙ୍କ ନାମରେ ଚାଉଳ ଉଠୁଥିଲେ ମଧ୍ୟ ସେମାନେ ଜାଣିପାରୁନାହାନ୍ତି। ରିଟେଲରଙ୍କଠାରୁ ଆରମ୍ଭ କରି ଧନିକ ଶ୍ରେଣୀର ବ୍ୟକ୍ତି ଓ ବିଭାଗୀୟ କର୍ମଚାରୀମାନେ ଏସବୁ ଲୁଟି ନେଉଛନ୍ତି। ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ ଜଣାପଡୁନାହିଁ। ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଗ୍ରାମରେ ଏଭଳି ଏକ ଘଟଣା ନଜରକୁ ଆସିବା ପରେ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର ମମତା ସ୍ବାଇଁଙ୍କ ପରିବାର ଏକ ସାଧାରଣ ଖଟିଖିଆ ପରିବାର। ତାଙ୍କ ସ୍ବାମୀ ପ୍ରମୋଦ ସ୍ବାଇଁ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ମମତା ରାଶନ କାର୍ଡ ପାଇଥିଲେ। ଏଥିରେ ପରିବାରର ୩ ଜଣଙ୍କୁ ମାସିକ ୧୫ କେଜି ଚାଉଳ ମିଳୁଥିଲା। ୭ମାସ ପରେ ହଠାତ୍‌ ୨୦୧୬ ଜୁଲାଇରେ ତାଙ୍କ ରାଶନ କାର୍ଡ କଟିଯାଇଥିବା କହି ରିଟେଲର ଚାଉଳ ଦେଇ ନ ଥିଲେ। ଏହାର ଦୀର୍ଘ ୩ ବର୍ଷ ପରେ ସୌଭାଗ୍ୟ ବସତଃ ଜଣେ ହିତାକାଂକ୍ଷୀ ତାଙ୍କୁ ନଁା କଟିଛି କି ନାହିଁ ଜାଣିବା ପାଇଁ ପରାମର୍ଶ ଦେଇଥିଲେ। ସରକାରୀ ପୋର୍ଟାଲ ଅନୁଧ୍ୟାନ କରିବା ପରେ ତାଙ୍କ ନଁା ଅନ୍ତ୍ୟୋଦୟ ଯୋଜନାରେ ରହିଥିବା ଜଣାପଡିଥିଲା। କେବଳ ସେତିକି ନୁହେଁ ତାଙ୍କ ନାମରେ ପ୍ରତି ମାସରେ ୩୫ କେଜି ଚାଉଳ ଉଠାଯାଉଛି। ଏହା ଜାଣିବା ପରେ ସମ୍ପୃକ୍ତ ରିଟେଲରଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଏହା ପରେ ସେ ଢିଙ୍କିଆ ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁଙ୍କୁ ଲିଖିତ ଭାବେ ଜଣାଇବା ସହ ଶନିବାର ଏରସମା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଡିଓ ତଦନ୍ତ କରି ପଦକ୍ଷେପ ନେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ମମତା ନୁହନ୍ତି, ପଞ୍ଚାୟତରେ ଅନେକ ହିତାଧିକାରୀଙ୍କ ପ୍ରତି ଏଭଳି ଅନ୍ୟାୟ କରାଯାଉଥିବା ଅଭିଯୋଗ ହେଉଛି। ଯେଉଁମାନଙ୍କୁ ଚାଉଳ ଦିଆଯାଉଛି, ସେମାନଙ୍କୁ ନିର୍ଦ୍ଧାରିତ ଚାଉଳରୁ ୫୦୦ ଗ୍ରାମ୍‌ କମ୍‌ ଦିଆଯାଉଛି। ଢିଙ୍କିଆର ସୁଷମା ଦାଶ ନାମକ ଜଣେ ବିଧବାଙ୍କ ନାମ ଅନ୍ତ୍ୟୋଦୟ ଯୋଜନାରୁ କାଟି ଦିଆଯାଇଛି। ଏହି ବ୍ଲକର ଗୋବିନ୍ଦପୁର, ଢିଙ୍କିଆ ଆଦି ଗ୍ରାମର ଅନେକ ହିତାଧିକାରୀଙ୍କୁ ମାସାଧିକ କାଳ ହେବ କିରୋସିନ ଦିଆଯାଇନି। ଯେଉଁମାନଙ୍କୁ ଦିଆଯାଉଛି ତାହା ମଧ୍ୟ ନିର୍ଦ୍ଧାରିତ ପରିମାଣର ନୁହେଁ। ଏସବୁ କିରୋସିନ କଳାବଜାରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ବେହେରାଙ୍କୁ ପଚାରିବାରେ ଏହା ଉପରେ ତଦନ୍ତ ପାଇଁ ଆକାଉଣ୍ଟ୍‌ସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି କହିଛନ୍ତି ଯେ, ତାଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ। ତେବେ ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।