ଚାଇନିଜ୍‌ ଡିଶ୍‌ ହନିି ପ୍ରନ୍‌

ପର୍ଯ୍ୟଟନର ସହର ପୁରୀ। ଏଠାକୁ ଦୈନିକ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ଏବଂ ରେସ୍ତୋରଁାରେ ପ୍ରସ୍ତୁତ କରାଯାଏ ସ୍ବାଦିଷ୍ଠ ଖାଦ୍ୟ। ହୋଟେଲଗୁଡ଼ିକ ମଧ୍ୟରୁ ସିଟି ରୋଡ୍‌ (ସି ବିଚ୍‌)ରେ ଥିବା ହୋଟେଲ ବିଜୟ ଇଣ୍ଟରନ୍ୟାଶ୍‌ନାଲ ଅନ୍ୟତମ। ଏଠାରେ ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି ନୂଆ ନୂଆ ଡିଶ୍‌ ପ୍ରସ୍ତୁତ କରାଯାଏ। ଏହି ହୋଟେଲରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଗ୍ରାହକଙ୍କୁ ପରଷାଯାଏ। ଆମିଷ ଖାଦ୍ୟ ମଧ୍ୟରେ ଚାଇନିଜ୍‌ ଡିଶ୍‌ ହନି ପ୍ରନ୍‌ର ଚାହିଦା ଅଧିକ ଓ ଏହାର ଗୋଟିଏ ପ୍ଲେଟ୍‌ ଦାମ୍‌ ରହୁଛି ୩୦୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲ ବିଜୟ ଇଣ୍ଟରନ୍ୟାଶନାଲର ମୁଖ୍ୟ ଶେଫ୍‌ ଶ୍ରୀମନ୍ତ ମହାନ୍ତି ଯାହା କୁହନ୍ତି..

ଆବଶ୍ୟକ ସାମଗ୍ରୀ:

ବଡ଼ ସାଇଜ୍‌ ଚିଙ୍ଗୁଡ଼ି: ୧୫୦ ଗ୍ରାମ୍‌
ରେଡ୍‌ ଚିଲିଗାର୍ଲିକ ସସ୍‌: ୧୫ ଗ୍ରାମ୍‌
ତେଲ: ୧୦ ଗ୍ରାମ୍‌
ମହୁ: ୨୦ ଗ୍ରାମ୍‌
ଟମାଟୋ ସସ୍‌: ୨୦ ଗ୍ରାମ୍‌
ସପୁରି ସ୍ଲାଇସ୍‌: ୫୦ ଗ୍ରାମ୍‌
ରସୁଣ କିମା: ୧୦ ଗ୍ରାମ୍‌
କର୍ନଫ୍ଲୋର: ୧୦୦ ଗ୍ରାମ୍‌
ଅଣ୍ଡା: ୧ଟା
ଗୋଲମରିଚ ଗୁଣ୍ଡ: ଅଧା ଚାମଚ
ସ୍ବାଦ ଅନୁଯାୟୀ ଲୁଣ
ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳ ଛଡାଇ ଭଲ ଭାବେ ଧୋଇବା ପରେ ତା’ ପିଠିରେ କଳା ସୂତା ଭଳି ଦେଖାଯାଉଥିବା ସରୁ ଅଂଶକୁ ବାହାର କରିଦିଅନ୍ତୁ। କଞ୍ଚା ଅଣ୍ଡା, ଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଚିଙ୍ଗୁଡ଼ିକୁ ଗୋଳାନ୍ତୁ। ଏହାପରେ କର୍ନଫ୍ଲାୱାର ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। କଡେଇରେ ତେଲ ଗରମ ହେବା ପରେ ଚିଙ୍ଗୁଡ଼ିକୁ ଛାଣନ୍ତୁ। ବ୍ରାଉନ୍‌ ରଙ୍ଗ ହୋଇଯିବା ପରେ ଏକ ପାତ୍ରରେ ଚିଙ୍ଗୁଡ଼ିକୁ ବାହାରକରି ରଖନ୍ତୁ।। ପ୍ୟାନ୍‌ରେ ତେଲ ପକାଇ ରସୁଣ କିମା, ସପୁରି ସ୍ଲାଇସ୍‌, ଟମାଟୋ ସସ୍‌ ଓ ଚିଲି ଗାର୍ଲିକ ପକାଇ ଫ୍ରାଏ କରନ୍ତୁ। ଏହାପରେ ପୂର୍ବରୁ ଛଣା ଯାଇଥିବା ଚିଙ୍ଗୁଡ଼ି ପକାଇ ଭଲ ଭାବେ ଗୋଳାନ୍ତୁ। ଶେଷରେ ମହୁ ପକାଇ ୫ ମିନିଟ୍‌ ପରେ ଓହ୍ଲାଇ ରୁଟି ସହିତ ଗରମ ଗରମ ପରଷି ଦିଅନ୍ତୁ।