ଚାଇନା ‘ବ୍ୟାଟ୍‌ ଓମେନ’ଙ୍କ ଚେତାବନୀ: କରୋନା ଭାଇରସ୍‌ ଆରମ୍ଭ ମାତ୍ର

ବେଜିଂ, ୨୭।୫: ସାରା ବିଶ୍ୱରେ ‘ବ୍ୟାଟ ଓମେନ’ ନାମରେ ପରିଚିତ ଚାଇନାର ଭାଇରୋଲୋଜିଷ୍ଟ ସି ଝେଙ୍ଗଲି ନିକଟରେ ଏକ ସରକାରୀ ଟେଲିଭିଜନରେ ଦେଇଥିବା ସାକ୍ଷାତ୍‌କାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେ ଚେତାବନୀ ଦେଇ କହିଛନ୍ତି, କରୋନା ଭାଇରସ୍‌ ଆରମ୍ଭ ମାତ୍ର। ସରକାରୀ ଟେଲିଭିଜନ ଚ୍ୟାନେଲ ‘ସିଜିଟିଏନ୍‌’କୁ ସେ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି, ଆଗକୁ କୌଣସି ସଂକ୍ରମଣ ଦାଉରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆମକୁ ପ୍ରଥମେ ଜଙ୍ଗଲୀ ଜନ୍ତୁଙ୍କଠାରୁ ବ୍ୟାପୁଥିବା ଅଜ୍ଞାତ ଭାଇରସ୍‌ ସମ୍ପର୍କରେ ଜାଣିବା ଜରୁରୀ। ଯଦି ଏହା ଉପରେ ଆମେ ଅଧିକ ଜ୍ଞାନ ଆହରଣ ନ କରିବା ତେବେ ଆଗକୁ ହୁଏତ ଆଉ କୌଣସି ନୂଆ ଭାଇରସ୍‌ ଦ୍ୱାରା ଆମେ ସଂକ୍ରମିତ ହେବା ବୋଲି ସେ ସୂଚାଇ ଦେଇଛନ୍ତି। ସାରା ବିଶ୍ୱରେ ବାଦୁଡ଼ିିଠାରେ ମିଳିଥିବା କରୋନା ଭାଇରସ୍‌କୁ ନେଇ କରାଯାଉଥିବା ଗବେଷଣା ସହ ଜଡ଼ିତ ଥିବା ଝେଙ୍ଗଲି ଏହି ମହାମାରୀ ସହ ଲଢ଼ିିବାକୁ ବିଶ୍ୱକୁ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି। ଉହାନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଡେପୁଟି ଡାଇରେକ୍ଟର ଝେଙ୍ଗଲି ବୈଜ୍ଞାନିକଙ୍କ ରାଜନୀତୀକରଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏବେ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫,୮୪,୨୦୦ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୪୭,୬୦୦ରେ ପହଞ୍ଚିଲାଣି। ୨୪ ଘଣ୍ଟାରେ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଅନ୍ୟପଟେ କରୋନା ସଂକ୍ରମଣକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ତୁ ତୁ ମେ ମେ ଲାଗି ରହିଥିବା ବେଳେ ଏହି ମହାମାରୀ ବେଳକୁ ବେଳ ଜଟିଳ ରୂପ ଧାରଣ କରୁଛି।

Share