ଚାଇନା ନୁହେଁ ୟୁରୋପରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ !

ବେଜିଂ, ୨।୬: ଚାଇନାର ଉହାନ ସହର କରୋନାର ଏନ୍ତୁଡ଼ିଶାଳ ବୋଲି କୁହାଯାଉଥିଲା। ୨୦୧୯ ଡିସେମ୍ବର ୩୧ରେ ଚାଇନା ସରକାର କରୋନା ସଂକ୍ରମଣ ସମ୍ପର୍କରେ ଜଣାଇଥିଲେ। ତେବେ ଏହାକୁ ଏକ ସର୍ଭେ ରିପୋର୍ଟରେ ଭୁଲ ଦର୍ଶାଯାଇଛି। ଫ୍ରାନ୍ସ୍‌ରେ କରୋନା ସଂକ୍ରମଣ ୨୦୨୦ ଜାନୁୟାରୀ ୨୪ରେ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରକୃତପକ୍ଷେ ଏଠାରେ ଦୁଇମାସ ପୂର୍ବରୁ ଅର୍ଥାତ୍‌ ୨୦୧୯ ନଭେମ୍ବର ମାସରେ କରୋନା ସଂକ୍ରମଣ ହୋଇଥିଲା। ମାତ୍ର ଏହାକୁ ଚିକିତ୍ସକମାନେ ଚିହ୍ନଟ କରିପାରି ନ ଥିଲେ। ୨୦୧୯ ନଭେମ୍ବର ୧୬ରେ ୟୁରୋପର ପ୍ରଥମ କରୋନା ଘଟଣା ଫ୍ରାନ୍ସ୍‌ର କୋଲମାର ସହରରେ ଘଟିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଫ୍ରାନ୍ସ୍‌ର ଉତ୍ତର-ପୂର୍ବରେ ଥିବା ଏହି ସହରରେ ନଭେମ୍ବରରରୁ ଡିସେମ୍ବର ମଧ୍ୟରେ ୨୫୦୦ରୁ ଅଧିକ ଲୋକ ଫ୍ଲୁ ସମସ୍ୟା ନେଇ ଚିକିତ୍ସକଙ୍କ ପାଖକୁ ଆସିଥିଲେ। ଚିକିତ୍ସକ ସମସ୍ତଙ୍କର ଏକ୍ସରେ ରିପୋର୍ଟ ଦେଖିଥିଲେ। ସେମାନଙ୍କମଧ୍ୟରୁ କେବଳ ୨ ଜଣଙ୍କ ରିପୋର୍ଟରେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ତେବେ ସେତେବେଳେ ଚିକିତ୍ସକଙ୍କୁ କରୋନା ଲକ୍ଷଣ ସମ୍ପର୍କରେ ଜଣା ନ ଥିଲା। ତେଣୁ ଏସବୁର ରେକର୍ଡ କରାଯାଇ ନ ଥିଲା ବୋଲି କୁହାଯାଉଛି। କୋଲମାର ସହରର ଅଲବର୍ଟ ସ୍ବିଜର ହସ୍ପିଟାଲର ଡ. ମାଇକେଲ ସ୍ମିଥ୍‌ ଏବଂ ତାଙ୍କ ସହଯୋଗୀ ଡାକ୍ତରୀ ଦଳ ଏହି ଦାବି କରିଛନ୍ତି। ଆମେରିକା ଦାବି କରିଥିଲା ଯେ ଚାଇନାରୁ କରୋନା ସଂକ୍ରମଣ ଘଟିଛି। ଆମେରିକାର ଗୋଇନ୍ଦା ବିଭାଗ ଏନେଇ ତଥ୍ୟ ପାଇଥିବା କୁହାଯାଇଥିଲା। ଡ. ସ୍ମିଥ୍‌ଙ୍କ ରିପୋର୍ଟକୁ ଆମେରିକା ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ପଲ୍ମୋନୋଲୋଜିଷ୍ଟ ଡ. ବିନ୍‌ ଗୁପ୍ତା ପଢିବା ପରେ କହିଛନ୍ତି ଯେ, ସ୍ମିଥ୍‌ଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ରହିଛି। ହୁଏତ ଏହା ସତ୍ୟ ବି ହୋଇପାରେ ବୋଲି ଡ. ଗୁପ୍ତା ମତପୋଷଣ କରିଛନ୍ତି।

Share