Categories: ବାଣିଜ୍ୟ

ଚାଇନା ଛାଡୁଥିବା କମ୍ପାନୀଙ୍କ ଲାଗି ସ୍ବତନ୍ତ୍ର ପ୍ଳାନ୍‌

ନୂଆଦିଲ୍ଲୀ,୨୩।୪: ଚାଇନା ଛାଡ଼ି ଭାରତ ଆସିବାକୁ ଚାହୁଁଥିବା କମ୍ପାନୀଙ୍କ ଲାଗି ସରକାର ସ୍ବତନ୍ତ୍ର ଯୋଜନା ହାତକୁ ନେଉଛନ୍ତି। ଏଭଳି କମ୍ପାନୀଗୁଡିକରେ ଭାରତରେ ସ୍ବତନ୍ତ୍ର ଫାଇଦା ଦେବାକୁ ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ନୀତି ଆୟୋଗ ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ମନ୍ତ୍ରଣାଳୟ(ଡିପିଆଇଆଇଟି) ପକ୍ଷରୁ ଏ ଦିଗରେ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ଇଲେକଟ୍ରୋନିକ୍ସ ଏବଂ ମାନୁଫାକଚରିଂକୁ ଉତ୍ସାହିତ କରିବା ନେଇ ସରକାର ଅଗ୍ରସର ହେଉଥିବା ଜଣାପଡିଛି। କରୋନା ସଙ୍କଟ ଲାଗି ବହୁଦେଶୀୟ କମ୍ପାନୀଗୁଡିକ ସୋମନଙ୍କ ଉତ୍ପାଦନ ଏବଂ ଯୋଗାଣ ଚେନ୍‌କୁ ଗୋଟିଏ ସ୍ଥାନରେ ସୀମିତ କରି ରଖିବାକୁ ଆଉ ଚାହୁଁନାହାନ୍ତି। କେଉଁ କମ୍ପାନୀଗୁଡିକ ଚାଇନାରୁ ସେମାନଙ୍କ ମାନୁଫାକଚରିଂ ଫାସିଲିଟି ବାହାରକୁ ଆଣିବାକୁ ଚାହୁଁଛନ୍ତି ସେମାନଙ୍କ ସହ ଆଲୋଚନା କରିବା ଲାଗି ସରକାର କିଛି ଗ୍ରୁପ୍‌ ପ୍ରସ୍ତୁତ କରିବେ।
ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇଲେକଟ୍ରୋନିକ୍ସ ମେଡିକାଲ ଡିଭାଇସ ବାଦ୍‌ ସରକାର ଅନ୍ୟ କିଛି କ୍ଷେତ୍ରକୁ ମଧ୍ୟ ଫୋକସ କରିଛନ୍ତି। କର୍ପୋରେଟ ଟିକସ କମାଯାଇଥିବା ବେଳେ ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରିଲେ ଭାରତ ଆହୁରି ପ୍ରତିଦ୍ୱନ୍ଦ୍ୱୀଶୀଳ ବଜାର ହୋଇପାରିବ। ଭାରତରେ ବୃହତ୍‌ ବଜାର ରହିଛି। ଫାସିଲିଟି ବସାଇବା ଲାଗି ସବୁ ପ୍ରକାର ସୁବିଧା ଦେବାକୁ କେନ୍ଦ୍ର ଏବଂ ରାଜ୍ୟ ମିଳିତ ହୋଇ କାମ କରୁଛନ୍ତି। ସରକାର ବର୍ତ୍ତମାନ ସୁଦ୍ଧା ୧୦୦ ବହୁଦେଶୀୟ କମ୍ପାନୀଙ୍କ ସହ ଆଲୋଚନା କରି ସାରିଛନ୍ତି। ଏପଟେ ଚାଇନାରୁ କମ୍ପାନୀ ଜାପାନ ଆଣିବା ଲାଗି ସେଠାକାର ସରକାର ୨.୨ ବିଲିୟନ ଡଲାରର ପ୍ୟାଜେକ ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ଫୋକସ ପ୍ରଥମେ ଗ୍ଲୋବାଲ ସପ୍ଲାଇଚେନ୍‌ ଉପରେ ରହିଥିଲା। ବର୍ତ୍ତମାନ ଭାରତକୁ କମ୍ପୋନେଣ୍ଟ ଏବଂ ଫିନିସିଡ୍‌ ପ୍ରଡକ୍ଟ କ୍ଷେତ୍ରରେ ଏକ ଅଗ୍ରଣୀ ସ୍ଥାନ ଭାବେ ଗଢି ତୋଳିବାକୁ ଯୋଜନା ହାତକୁ ନିଆଯାଉଛି।

Share