ଚାଇନାରେ ଫଶିଥିବା ପାକିସ୍ତାନ ଛାତ୍ର ଇମ୍ରାନଙ୍କୁ କହିଲେ ଭାରତଠାରୁ କିଛି ଶିଖ

ବେଜିଂ,୨।୨: କରୋନାଭାଇରସ କାରଣରୁ ଚାଇନାର ଉହାନ ସହରରେ ବହୁଲୋକ ଫଶି ରହିଛନ୍ତି। ଏବେ ସେଠାକୁ ଯିବାକୁ ଚାଇନା ପକ୍ଷରୁ ବାରଣ କରାଯାଇଛି। କାରଣ ଉହାନ ସହରରେ ହିଁ ସବୁଠାରୁ ଅଧିକ ଲୋକ କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସେଠାରେ ଥିବା ଅଧିକାଂଶ ଭାରତୀୟଙ୍କୁ ଦୁଇଦିନ ମଧ୍ୟରେ ଭାରତ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରାଇ ଆଣିଥିବା ବେଳେ ଏହାକୁ ଦେଖି ଜଣେ ପାକିସ୍ତାନ ଛାତ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଟାର୍ଗେଟ କରିଛନ୍ତି। ସେ ଏକ ଭିଡିଓ ଶେୟାର କରି ଇମ୍ରାନଙ୍କୁ ଏକ ପ୍ରକାର ଗାଳି କରିଛନ୍ତି। ଉହାନ ସହରରେ ଥିବା ଛାତ୍ରଙ୍କୁ ନେବାପାଇଁ ଭାରତ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଉହାନରୁ ସେମାନଙ୍କୁ ବସ୍‌ଯୋଗେ ବିମାନବନ୍ଦର ଅଣାଯାଇ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଭାରତ ଅଣାଯାଇଛି। ତେବେ ଯେତେବେଳେ ସେଠାରୁ ଭାରତୀୟ ଛାତ୍ରମାନେ ବସ୍‌ରେ ବସୁଥିଲେ ସେବେତେଳର ଏକ ଭିଡିଓ ଶୁଟ୍‌ କରି ଛାତ୍ର ଜଣଙ୍କ ଇମ୍ରାନଙ୍କୁ କହିଛନ୍ତି, ଦେଖ ଉହାନରେ ଥିବା ଭାରତୀୟ ଛାତ୍ରଙ୍କୁ ନେବାକୁ ଏହି ବସ ଆସିଛି। ଯାହା ସେମାନଙ୍କୁ ନେଇ ବିମାନ ବନ୍ଦରରେ ଛାଡିବ। ହେଲେ ପାକିସ୍ତାନ ସରକାର ଆମ କଥା ଆଦୌ ଚିନ୍ତା କରୁ ନାହାନ୍ତି। ଏତିକି ବେଳେ ସେ କହିଛନ୍ତି ଇମ୍ରାନ ଭାରତଠାରୁ କିଛି ଶିଖନ୍ତୁ। ସୂଚନାଯୋଗ୍ୟ, ଚାଇନାରେ ଥିବା ପାକିସ୍ତାନ ନାଗରିକଙ୍କୁ ଆଣିବା ପାଇଁ ନିକଟରେ ପାକ୍‌ ସରକାର ମନା କରିଦେଇଥିବା ବେଳେ ଛାତ୍ର ଜଣଙ୍କ କ୍ରୋଧାନ୍ବିତ ହୋଇ ଏହା କହିଛନ୍ତି। ଛାତ୍ର ଜଣଙ୍କର ଏହି ଭିଡିଓକୁ ପାକିସ୍ତାନର ଖବରଦାତା ନାୟଲା ଇନାୟତ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି। କରୋନାଭାଇରସ ଯୋଗୁ ସେଠାରେ ଥିବା ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନାଯୋଗ୍ୟ, ଚାଇନାରେ କରୋନାଭାଇରସ ସଂକ୍ରମଣରେ ଏବେ ପ୍ରାୟ ୩ଶହ ଲୋକଙ୍କ ମୃତ୍ୟୁ ହେଲାଣି।

Share