Categories: ବାଣିଜ୍ୟ

ଚଳିତ ସପ୍ତାହରେ ରିପୋର୍ଟ ଦେଇପାରନ୍ତି ଜଲାନ କମିଟି

ନୂଆଦିଲ୍ଲୀ,୧୬-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ ବଳକା ରହିଥିବା ପାଣ୍ଠିକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ ନେଇ ଗଠିତ ବିମଳ ଜଲାନ କମିଟି ପକ୍ଷରୁ ଚଳିତ ସପ୍ତାହରେ ରିପୋର୍ଟ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏହି କମିଟିରେ ସଦସ୍ୟ ଥିବା ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ଶକ୍ତି ମନ୍ତ୍ରଣାଳୟକୁ ବଦଳି କରାଯିବା ପରେ ରିପୋର୍ଟ ଚୂଡ଼ାନ୍ତ ହୋଇପାରି ନ ଥିଲା। ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ଅଧାରୁ ଗର୍ଗଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ତାଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ଅର୍ଥ ସଚିବ ରାଜୀବ କୁମାର ବୈଠକରେ ଯୋଗ ଦେବା ପରେ ରିପୋର୍ଟ ଚୂଡ଼ାନ୍ତ ହୋଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ଗର୍ଗଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ଉକ୍ତ ସୂତ୍ର ପ୍ରକାଶ କରିଛି। ତେବେ ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ଆର୍‌ବିଆଇ କେତେ ପରିମାଣରେ ଅର୍ଥ ପ୍ରଦାନ କରିବ ତାହା ଏବେ କହିବା ଅସମ୍ଭବ। କିନ୍ତୁ ସରକାରଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତବର୍ଷ ଡିସେମ୍ବର ୨୬ରେ ଜଲାନ କମିଟି ଗଠନ କରାଯାଇଥିଲା।

Share