ଚଳିତ ବର୍ଷରୁ ମିଳିବ ଗରିମା ପୁରସ୍କାର: ‘ମୋ ସ୍କୁଲ’ ଅଭିଯାନରେ ୮୯୫୧ ସ୍କୁଲ ପାଇଛନ୍ତି ୮୯କୋଟି ଟଙ୍କା

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ‘ମୋ ସ୍କୁଲ’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଜନାର ମୂଳ ଲକ୍ଷ୍ୟ, ସ୍କୁଲର ବିକାଶରେ ଜନସାଧାରଣ ଓ ପୁରାତନ ଛାତ୍ରୀଛାତ୍ରଙ୍କୁ ସାମିଲ କରିବା। ୨୦୧୮-୧୯ରେ ଏହି ଯୋଜନାରେ ୩୦ ଜିଲାର ୮,୯୫୧ଟି ସ୍କୁଲ ୮୯କୋଟି ୨୮ ଲକ୍ଷ ଟଙ୍କା ପାଇଛନ୍ତି। ଯେଉଁଥିରେ ୨୯କୋଟି ୭୬ଲକ୍ଷ ଟଙ୍କା ବିଦ୍ୟାଳୟଗୁଡ଼ିକ ଦାନ କରିଥିବା ବେଳେ ଏହାର ଦୁଇଗୁଣା ହିସାବରେ ୫୯ କୋଟି ୫୨ଲକ୍ଷ ଟଙ୍କା ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରାଯାଇଛି। ଏଥିସହ ଛାତ୍ରୀଛାତ୍ରମାନଙ୍କର ଶୈକ୍ଷିକ ଜ୍ଞାନ ବୃଦ୍ଧି ନିମନ୍ତେ ଗରିମା ପୁରସ୍କାର ଆରମ୍ଭ କରାଯାଇଛି। ଚଳିତ ବର୍ଷଠାରୁ ‘ମୁଖ୍ୟମନ୍ତ୍ରୀ ମେଧାବୃତ୍ତି’, ‘ଓଡ଼ିଆ ଭାଷାବୃତ୍ତି’, ‘ଉତ୍ତମ ସ୍କୁଲ ବୃତ୍ତି’ ପ୍ରଦାନ କରାଯିବ। ଶନିବାର ବିଧାନସଭା ମୁଲତବୀ ଆଲୋଚନା ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।