Categories: ରାଜ୍ୟ

ଚଳିତବର୍ଷ ପାନୀୟ ଜଳ ଯୋଗାଣ ପାଇଁ ଖର୍ଚ୍ଚହେବ ୧୦ ହଜାର କୋଟି

ଭୁବନେଶ୍ୱର, ୯।୬(ବ୍ୟୁରୋ): ଚଳିତ ବର୍ଷ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଇବା ବାବଦରେ ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଆର୍‌ଏଡିପି, ବସୁଦ୍ଧା, ଡିଏମ୍‌ଏଫ୍‌ ଜରିଆରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମଙ୍ଗଳବାର ପାନୀୟ ଜଳ ସମ୍ପର୍କୀତ ସମୀକ୍ଷା ବୈଠକ ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟରେ ୬୬ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ, ୬ ହଜାର ପାଇପ୍‌ ଜଳ ଯୋଜନା କାର୍ଯ୍ୟକାରୀ ହୋଇଛି। ଏ ବାବଦରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। କରୋନା ସଂକ୍ରମଣ ଆଶଙ୍କାରେ ଗତ ୨ମାସ ହେବ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଥିଲା। ଏହି ପ୍ରକଳ୍ପଗୁଡିକ ପୁଣି କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସମସ୍ତଙ୍କ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏହି ଲକ୍ଷ୍ୟ ପୂରଣ କରିବା ସକାଶେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।