Categories: ଜାତୀୟ

ଚଳିତବର୍ଷ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ ଛପାଯାଇନାହିଁ

ନୂଆଦିଲ୍ଲୀ,୧୭।୧୦: ଚଳିତବର୍ଷ ଗୋଟିଏ ବି ୨ ହଜାର ଟଙ୍କିଆ ନୋଟ୍‌ ଛପାଯାଇନାହିଁ। ଆରଟିଆଇ ଦ୍ୱାରା ମଗାଯାଇଥିବା ଏକ ରିପୋର୍ଟରେ ଆରବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୧୬-୧୭ରେ ୩୫୪.୨୯ କୋଟିର ୨ ହଜାର ଟଙ୍କିଆ ନୋଟ ଛପାଯାଇଥିବାବେଳେ ୨୦୧୭-୧୮ରେ ୧୧.୧୫ କୋଟି ଟଙ୍କାର ଏହି ନୋଟ ଛପାଯାଇଛି। ୨୦୧୮-୧୯ରେ ଏହି ସଂଖ୍ୟା କମି ୪.୬୬ କୋଟିରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷରେ ଗୋଟିଏ ବି ୨ ହଜାର ଟଙ୍କିଆ ନୋଟ ଛପାଯାଇ ନ ଥିବା ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତକିଛିଦିନ ତଳେ ୨୦୧୬ ମସିହାରେ ହୋଇଥିବା ବିମୁଦ୍ରାୟନ ପରେ ବଜାରକୁ ଆସିଥିବା ନୂଆ ୨ ହଜାର ଟଙ୍କିଆ ନୋଟ ବନ୍ଦ ହୋଇପାରେ ବୋଲି ଗୁଜବ ଉଠିଥିଲା। ତେବେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଲୋକସଭାରେ ସଫେଇ ଦେଇ ସମ୍ପ୍ରତି ୨ହଜାର ଟଙ୍କିଆ ନୋଟକୁ ବନ୍ଦ କରିବାରେ କୌଣସି ଯୋଜନା ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ୮ ନଭେମ୍ବର ୨୦୧୬ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାୟନ ଘୋଷଣା କରିଥିଲେ। ଫଳରେ ଦେଶରେ ୫୦୦, ୧୦୦୦ ଟଙ୍କିଆ ନୋଟର ବ୍ୟବହାରକୁ ତୁରନ୍ତ ବନ୍ଦ କରାଯାଇଥିଲା। ଏହାପରେ ୨ ହଜାର ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା।

Share