ଚଳନ୍ତା ଟ୍ରେନ୍‌ରୁ ଅଲଗା ହୋଇଗଲା ବଗି: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଅଫିସ, ୧।୧୦: ପୁରୀ ଜିଲା ଡେଲାଙ୍ଗର ରେଞ୍ଚ ଲେଭଲ କ୍ରସିଂଠାରେ ସୋମବାର ରାତି ପ୍ରାୟ ସାଢେ ୧୦ଟାରେ ଏକ ଚଳନ୍ତା ଟ୍ରେନ୍‌ର ଗୋଟିଏ ବଗି ଅନ୍ୟ ବଗିଠାରୁ ଅଲଗା ହୋଇଯାଇଥିଲା। ଫଳରେ ଉକ୍ତ ବଗିରେ ବସିଥିବା ଯାତ୍ରୀମାନେ ଟ୍ରେନ୍‌ ଭିତରେ ପଡ଼ିଯାଇଥିଲେ। କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ଏକ ବଡଧରଣର ଟ୍ରେନ୍‌ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୂଚନା ଅନୁଯାୟୀ, ପୁରୀ-ସାଇନଗର ଶିରିଡ଼ି ଏକ୍ସପ୍ରେସ୍‌ ଟ୍ରେନ୍‌ ଜଟଣୀରୁ ପୁରୀ ଅଭିମୁଖେ ଯାଉଥିବାବେଳେ ରେଞ୍ଚ ଲେଭଲ କ୍ରସିଂଠାରେ ଏହାର ଏସ୍‌-୪ ବଗିଠାରୁ ଏସ୍‌-୫ ବଗି ଅଲଗା ହୋଇଯାଇଥିଲା। ଫଳରେ ଟ୍ରେନ୍‌ ଦୋହଲି ଯାଇଥିଲା। ତେବେ ସୌଭାଗ୍ୟବଶତଃ ଟ୍ରାକ୍‌ରେ ଟ୍ରେନ୍‌ଟି ରହିଯାଇଥିଲା। ଜିନିଷପତ୍ର ତଳକୁ ଖସିପଡ଼ିଥିବା ବେଳେ ଯାତ୍ରୀମାନେ ପରସ୍ପର ଉପରେ ପଡ଼ିଯାଇଥିଲେ। ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି। ଦୁଇଟି ବଗି ମଧ୍ୟରେ ସଂଯୋଗ ରଖୁଥିବା କପ୍‌ଲିନ୍‌ ଭାଙ୍ଗିଯିବାରୁ ଏ ଘଟଣା ଘଟିଥିବା ରେଳ ବିଭାଗ ପକ୍ଷରୁ ଜଣାପଡ଼ିଛି।