ଚର୍ଚ୍ଚ ଅଫ୍‌ ଗଡ୍‌ରେ ଝରଣାଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ ଅଫିସ,୪।୧୨: ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ କଟକ ଗୋରାକବର ନିକଟସ୍ଥ ଚର୍ଚ୍ଚ ଅଫ୍‌ ଗଡ୍‌ ପରିସରରେ ଶନିବାର ସମ୍ପନ୍ନ ହୋଇଛି। ଅପରାହ୍ନ ୨ଟାରେ କଟକ ଚଣ୍ଡୀଛକସ୍ଥିତ ବାସଭବନରୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟକୁ ନିଆଯାଇଥିଲା। ପରେ ବକ୍‌ଲି ବାଳିକା ବିଦ୍ୟାଳୟ, ଆକାଶବାଣୀ କେନ୍ଦ୍ର ପରିସରକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସେଠାରୁ ମରଶରୀରକୁ କବରସ୍ଥାନ ଅଭିମୁଖେ ନିଆଯାଇଥିଲା। କଟକ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ମାଧ୍ୟମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ଜିଲାପାଳ ଭବାନୀ ଶଙ୍କର ଚୟନୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଖ୍ରୀଷ୍ଟିଆନ ଧର୍ମଗୁରୁ ସାମ୍‌ ସୋମଲିଙ୍ଗମ୍‌ ଓ ନୀହାର ରଞ୍ଜନ ବର୍ଦ୍ଧନ ବାଇବେଲ ପାଠ ଓ ପ୍ରାର୍ଥନା କରିଥିଲେ। ପରେ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ଝରଣାଙ୍କ ମରଶରୀରକୁ କବର ଦିଆଯାଇଥିଲା। ଶେଷକୃତ୍ୟ ସମୟରେ ଝରଣାଙ୍କ ବଡ଼ପୁଅ ଚିରଞ୍ଜିତ, ସାନପୁଅ ସମ୍ବିତ, କନ୍ୟା ପ୍ରଜ୍ଞାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆକାଶବାଣୀ, ଦୂରଦର୍ଶନ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଝରଣା ଦାସ ଗୁରୁବାର ରାତିରେ ଶୋଇଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ। ମେଡିକାଲ ନେବା ପୂର୍ବରୁ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କର ଦୁଇପୁଅ ବାହାରେ ରହୁଥିବା କାରଣରୁ ଶେଷକୃତ୍ୟ ପାଇଁ ପରିବାର ପକ୍ଷରୁ ଅପେକ୍ଷା କରାଯାଇଥିଲା। ତାଙ୍କ ମୃତ୍ୟୁରେ ଆକାଶବାଣୀ, ଦୂରଦର୍ଶନ ତଥା ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ପରଲୋକ ଖବରପାଇ ବହୁ କଳାକାର ଓ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚତ୍ ଶେଷଦର୍ଶନ କରିଥିଲେ।