ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି ବିକ୍ରମ: ନାସା

ନ୍ୟୁୟର୍କ,୨୭।୯: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂର କିଛି ହାଇରିଜଲ୍ୟୁଶନ ଫଟୋ ନାସା ପକ୍ଷରୁ ଶୁକ୍ରବାର ଜାରି କରାଯାଇଛି। ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଥିବା ନେଇ ନାସା ଦାବି କରିଛି। ଆମେରିକାର ମହାକାଶ ସଂସ୍ଥା ନାସାର ଲୁନାର୍‌ ରେକୋନେସାନ୍ସ ଅର୍ବିଟର୍‌ କ୍ୟାମେରାରେ ହାଇରିଜଲ୍ୟୁଶନ ଫଟୋଗୁଡ଼ିକୁ ଉତ୍ତୋଳନ କରାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ନାସା ଜାରି କରିଥିବା ଫଟୋ ଅନୁଯାୟୀ ଏକ ଆବଡ଼ା ଖାବଡ଼ା ସ୍ଥାନ କିମ୍ବା ପଥୁରିଆ ସ୍ଥାନରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୭-୮ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରଠାରୁ ୨.୧ କିଲୋମିଟର ଦୂରରେ ଥିବା ବେଳେ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ମିଶନ ଚନ୍ଦ୍ରଯାନ-୨ ୯୫ ପ୍ରତିଶତ ସଫଳ ହୋଇଛି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ କହିଥିଲେ। ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ନିମନ୍ତେ ଏହା ଭାରତର ପ୍ରଥମ ଉଦ୍ୟମ ରହିଥିଲା।

Share