ଚକ ନିର୍ମାଣ ଶେଷ, ଚାଲିଛି ଦଣ୍ଡା କାମ

ପୁରୀ ଅଫିସ,୨୫ା୫: ଏଥର ଅନୁକୂଳର ୧୨ଦିନ ବିଳମ୍ବରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ତଥାପି ଠିକଣା ସମୟକୁ ମହାପ୍ରଭୁଙ୍କ ତିନିରଥ ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ସେବକମାନେ ଲାଗିପଡ଼ିିଛନ୍ତି। ମହାରଣା ସେବକ, ଭୋଇ ଓ ରୂପକାର ସେବକ ରଥଖଳାରେ ଚଳଚଞ୍ଚଳ ଥିବାବେଳେ ଦୋଳବେଦି ପରିସରରେ କରତି ଏବଂ କମାର ସେବକ କାମରେ ଲାଗିଛନ୍ତି। ସୋମବାର ସୁଦ୍ଧା ତିନିରଥର ୪୨ଟି ଯାକ ଚକ କାମ ସରିଥିବାବେଳେ ଏବେ ଦଣ୍ଡା କାମ ଚାଲିଛି। ତାଳଧ୍ୱଜ ରଥର ୯ଟି, ଦେବଦଳନ ରଥର ୭ଟି ଏବଂ ନନ୍ଦିଘୋଷର ୯ଟି ଦଣ୍ଡା ମଧ୍ୟରୁ ପ୍ରତ୍ୟେକର ୫ଟି ଲେଖାଏ ଦଣ୍ଡା ଚଉପଟ ସରିଛି। ରୂପକାର ସେବକ ଗୁଜରେ ସିଂହବିରାଳ ରୂପ ଖୋଦେଇ କରୁଛନ୍ତି। ତିନିରଥର ପ୍ରାୟ ୭୫ ପ୍ରତିଶତ ଖୋଦେଇ ଶେଷ ହୋଇଛି। ଅନ୍ୟପକ୍ଷରେ ନାଟଗୋଡ଼ କାମ ଆରମ୍ଭ ହୋଇଛି। ପ୍ରତି ରଥରେ ୮ଟି ଲେଖାଏ ନାଟଗୋଡ଼ ଲାଗିଥାଏ। ଏଥିରେ ରୂପକାର ସେବକମାନେ ରାହୁରୂପ ଖୋଦେଇ କରିବେ। ସେହିପରି ରଥଖଳାରେ ମୁହଁାଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତି ରଥରେ ୪ଟି ଲେଖାଏ ମୁହଁାଟ ଲାଗିଥାଏ। ଆଗ ମୁହଁାଟ, ପଛ ମୁହଁାଟ ଏବଂ ୨ଟି ପାର୍ଶ୍ୱ ମୁହଁାଟ ଲାଗିଥାଏ ବୋଲି ମହାରଣା ସେବକ କହିଛନ୍ତି। ଦୋଳବେଦି ପରିସରରେ କରତି ସେବକଙ୍କ ଦ୍ୱାରା ପୋଲୋ ଗୟଳ ଚିରଟ କରାଯାଉଛି। ରଥରେ ଦୁଇପ୍ରକାର ଗୟଳ ଯଥା ପୋଲୋ ଗୟଳ ଏବଂ ଛନ୍ଦା ଗୟଳ ଲାଗିଥାଏ। ସେହିପରି ଦୋଳବେଦି ପରିସର ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ୱାରା ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା ଆଦି ତିଆରି ହେଉଛି। ସୋମବାର ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତ ସେବକ ସୁସ୍ଥ ଥିବା ଜଣାପଡ଼ିଛି।