ଚକ୍ରନାରାୟଣଙ୍କ ଚାରି ଆଶ୍ରମ ପରିକ୍ରମା

ପୁରୀ ଅଫିସ, ୨୮ା୭: ଶ୍ରାବଣ କୃଷ୍ଣପକ୍ଷ ଏକାଦଶୀକୁ ଚକ୍ରବୁଲା ଏକାଦଶୀ କୁହାଯାଏ। ରବିବାର ଏହି ଚକ୍ରବୁଲା ଏକାଦଶୀରେ ପରମ୍ପରା ଅନୁଯାୟୀ, ଚକ୍ରନାରାୟଣ ଶ୍ରୀକ୍ଷେତ୍ରର ୪ ଆଶ୍ରମ ପରିକ୍ରମା କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ମହାପ୍ରଭୁ ଧାରଣ କରୁଥିବା ସୁବର୍ଣ୍ଣ ଚକ୍ରକୁ ଆଣି ବିମାନରେ ବିଜେ କରାଇଥିଲେ। ବିମାନବଡ଼ୁ ସେବକମାନେ ବଡ଼ଦେଉଳକୁ ଗୋଟିଏ ଘେରା ପରିକ୍ରମା କରି ଚକ୍ରନାରାୟଣଙ୍କୁ ମାର୍କଣ୍ଡ, ଅଙ୍ଗିରା, ଭୃଗୁ ଏବଂ ପଣ୍ଡୁ ଆଶ୍ରମ ପରିକ୍ରମା କରାଇଥିଲେ। ପ୍ରତି ଆଶ୍ରମରେ ଶୀତଳ ଭୋଗ, ବନ୍ଦାପନା ଇତ୍ୟାଦି ନୀତିକାନ୍ତି ସାରି ପୁନଶ୍ଚ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବାଟରେ ମଧ୍ୟ ବିଭିନ୍ନ ସ୍ଥାନରେ ଚକ୍ରନାରାୟଣ ପନ୍ତି ଖାଇଥିଲେ। ଲୋକକଥା ଅନୁଯାୟୀ, ରଥଯାତ୍ରା ପରେ ପରେ ଶ୍ରୀକ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ପାଇଁ ଏବଂ ଦୁଷ୍ଟ ଗ୍ରହମାନଙ୍କର ନିରାକରଣ ପାଇଁ ସ୍ବୟଂ ଚକ୍ରରାଜ ୪ ଆଶ୍ରମ ସମେତ ଶ୍ରୀକ୍ଷେତ୍ର ପରିକ୍ରମା କରିଥାନ୍ତି। ଶ୍ରୀକ୍ଷେତ୍ର ଶୁଦ୍ଧି ଏହାର ମୂଳ ଲକ୍ଷ୍ୟ।