ଘୋଡ଼ାହାଡ଼ ଗଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୩୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅଗ୍ନିଶମ ବାହିନୀ ଗୁରୁବାର ମଧ୍ୟାହ୍ନରେ ସାନଖେମୁଣ୍ଡି ବ୍ଲକ ମୌଳାଭଣଜା ପଞ୍ଚାୟତ ବଳଧିଆ ଗ୍ରାମ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେ ହେଲେ ବଳଧିଆ ଗ୍ରାମର ଶ୍ରୀକାନ୍ତ ପ୍ରଧାନଙ୍କ ସ୍ତ୍ରୀ ରୁକ୍ମିଣୀ। ସେ ଗ୍ରାମର ହଳଦିଆ ଘାଟକୁ ଗାଧୋଇ ଯାଇଥିଲେ। ଅସାବଧାନତା କାରଣରୁ ସେ ନଦୀ ଗଣ୍ଡର ଗଭୀର ପାଣିରେ ବୁଡ଼ିଯାଇଥିଲେ। ଖବର ପାଇ ଅଗ୍ନିଶମ ଅଧିକାରୀ ବିଜୟ କୁମାର ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡରେ ବୁଡ଼ିଯାଇଥିବା ମହିଳାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି।