Categories: ଜାତୀୟ

ଘୋଡ଼ାବେପାର ଉଦ୍ୟମ କରୁଛି ଭାଜପା

ମୁମ୍ବାଇ,୧୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅସାମର୍ଥ୍ୟ ପ୍ରକାଶ କରିଥିବା ଭାଜପା ଶୁକ୍ରବାର ପୁଣି ଥରେ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଏହା ଘୋଡ଼ାବେପାରର ସୂଚନା ଦେଉଥିବା ଶିବସେନା ଅଭିଯୋଗ କରିଛି। ଶିବସେନା-ଏନ୍‌ସିପି-କଂଗ୍ରେସ ସରକାର ୬ ମାସ ତିଷ୍ଠିବ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ କହିଥିଲାବେଳେ ନୂଆ ରାଜନୈତିକ ସମୀକରଣ ଅନେକ ନେତାଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ବୋଲି ଶିବସେନା ଏହାର ମୁଖପତ୍ର ‘ସାମ୍‌ନା’ରେ ଲେଖିଛି।
ଭାଜପା ସପକ୍ଷରେ ୧୧୯ ବିଧାୟକଙ୍କ ସମର୍ଥନ ରହିଛି। ଏହି ଦଳ ଖୁବ୍‌ଶୀଘ୍ର ସରକାର ଗଢ଼ିବ ବୋଲି ଶୁକ୍ରବାର ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଥିଲେ। ୧୦୫ ଆସନରେ ଜିତିଥିବାରୁ ସରକାର ଗଢ଼ିବା ପାଇଁ ସଂଖ୍ୟାଗରିଷ୍ଠତା ନ ଥିବା ଯେଉଁମାନେ ରାଜ୍ୟପାଳଙ୍କୁ ଜଣାଇଥିଲେ, ଏବେ ସେମାନେ ସରକାର ଗଠନ ପାଇଁ କିପରି ଦାବି କରୁଛନ୍ତି ବୋଲି ସାମ୍‌ନାରେ ପ୍ରଶ୍ନ କରାଯାଇଛି। ଏଥିରେ ଭାଜପାର ଘୋଡ଼ାବେପାର ସ୍ପଷ୍ଟ ହୋଇଯାଇଛି। ସେମାନଙ୍କ ସ୍ବଚ୍ଛ ଶାସନ ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ମିଥ୍ୟା ଏହା ପ୍ରମାଣିତ ହୋଇଥିବା ଶିବସେନା କହିଛି।
ସୂଚନାଯୋଗ୍ୟ, କୌଣସି ଦଳ ସରକାର ଗଢ଼ିବାକୁ ସମର୍ଥ ନ ହେବାରୁ ମଙ୍ଗଳବାରଠାରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏବେ କଂଗ୍ରେସ ଏବଂ ଏନ୍‌ସିପି ସହଯୋଗରେ ଶିବସେନା ସରକାର ଗଢ଼ିବାକୁ ଉଦ୍ୟମ ଜାରି ରଖିଛି।

Share