ଘୁମୁସର ବନଖଣ୍ଡରେ ରୋପଣ ହେବ ୨୫ ଲକ୍ଷ ଚାରା

ଭଞ୍ଜନଗର,୨୨।୪(ଡି.ଏନ.ଏ.)-କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଥିଲେ ମଧ୍ୟ ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଓ ଦକ୍ଷିଣ ଘୁମୁସର ବନଖଣ୍ଡ କର୍ମଚାରୀମାନେ ଚାରା ଉପତ୍ାଦନ ପ୍ରତି ଧ୍ୟାନ ଦେଇଥିଲେ। ସୋମବାରଠାରୁ ଲକ୍‌ଡାଉନରେ ସାମାନ୍ୟ କୋହଳ ହେବାପରେ ନର୍ସରୀଗୁଡ଼ିକୁ ଆସୁଥିବା ଶ୍ରମିକଙ୍କ ସଂଖ୍ୟା ବଢ଼ିଛି। ସେମାନେ ସାମାଜିକ ଦୂରତ୍ୱ ବଜାୟ ରଖି କାମ କରୁଛନ୍ତି। ଚଳିତବର୍ଷ ଉତ୍ତର ଘୁମୁସର ବନଖଣ୍ଡରେ ବିଭିନ୍ନ ଯୋଜନାରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଚାରାରୋପଣ କରିବା ଲକ୍ଷ୍ୟ ରଖାଯାଇଛି। ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡରେ ୧୫ଲକ୍ଷରୁ ଉର୍ଦ୍ଧ୍ୱ ଚାରାରୋପଣ ହେବା ଯୋଜନା ଅଛି। ତେଣୁ ବନଖଣ୍ଡର ବିଭିନ୍ନ ନର୍ସରୀରେ ଚାରା ପ୍ରସ୍ତୁତି ଚାଲିଛି। ଡିଏଫଓଦ୍ୱୟ ପ୍ରତ୍ୟକ୍ଷ ଭାବେ ଏହାର ତଦାରଖ କରୁଛନ୍ତି। କିଛିଦିନ ପୂର୍ବେ ଆରସିସିଏଫ୍‌ ଆସି ନର୍ସରୀ ଗୁଡ଼ିକରେ ଚାରା ଉପତ୍ାଦନ ପ୍ରକ୍ରିୟା କିଭଳି ଚାଲିଛି ତାହା ସମୀକ୍ଷା କରିଛନ୍ତି। ଏସିଏଫ୍‌ ସୁଦର୍ଶନ ବାଦୀ କହିଛନ୍ତି, ଲକ୍‌ଡ଼ାଉନ ଯୋଗୁ ଚାରା ଉପତ୍ାଦନରେ ଅନେକ ସମସ୍ୟା ଆସିଛି। ତଥାପି ଲକ୍ଷ୍ୟ ଅନୁସାରେ ଚାରାରୋପଣ ହେବ ବୋଲି ସେ କହିଛନ୍ତି। ସେହିପରି ଆଗକୁ ଜଙ୍ଗଲରେ ନିଅଁା ଲାଗିବା ଆଶଙ୍କା ଥିବାରୁ ତାହାର କିଭଳି ମୁକାବିଲା କରାଯିବ ସେ ନେଇ ପଦକ୍ଷେପ ନିଆଯାଇଥିବା କହିଛନ୍ତି।