ଘୁଞ୍ଚିଲା ୟୁପିଏସ୍‌ସି ପରୀକ୍ଷା: ଜୁନ୍‌ ୫ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି

ଭୁବନେଶ୍ୱର,୨୦ା୫(ବ୍ୟୁରୋ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ହେବାକୁ ଥିବା ସମସ୍ତ ପରୀକ୍ଷା ଓ ସାକ୍ଷାତ୍‌କାରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଉଠିବା ପରେ ବୁଧବାର ଆୟୋଗ ପକ୍ଷରୁ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ବିଭିନ୍ନ କଟକଣା ଲାଗିଥିବାରୁ ପରୀକ୍ଷା ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି କୁହାଯାଇଛି। ଏହି ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା କ୍ଷଣି ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା ଆୟୋଜନ ନେଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। ଜୁନ୍‌ ୫ରେ ହେବାକୁ ଥିବା ଆୟୋଗର ପରବର୍ତ୍ତୀ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। କରୋନା ପାଇଁ ଗତ ଦୁଇମାସ ହେଲା ବାତିଲ ହୋଇଥିବା ୟୁପିଏସ୍‌ସିର ବିଭିନ୍ନ ପରୀକ୍ଷା ଓ ସାକ୍ଷାତକାର ପାଇଁ ନୂଆ ତାରିଖ ପ୍ରକାଶ ପାଇବ। ଏ ସମ୍ପର୍କରେ ଆବେଦନକାରୀମାନେ ୟୁପିଏସ୍‌ସିର ଓ୍ବେବ୍‌ସାଇଟ୍‌ରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ବୋଲି ସୂଚନା ଦିଆଯାଇଛି।