ଘର ସଜାଉଥିଲେ

ଘର ସଜାଇବାର ସଉକ ଥିଲେ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ରଖିବା ଯେ ନିହାତି ଆବଶ୍ୟକ ତା’ ନୁହେଁ ବରଂ କମ୍‌ ବଜେଟରେ ଓ୍ବାଲ୍‌ ଡେକୋରେଶନ ବି ଆପଣଙ୍କ ଘରକୁ ଦେଇପାରିବ ଆକର୍ଷଣୀୟ ଲୁକ୍‌…

– ଘରର କାନ୍ଥ ସଜାଇବା ଲାଗି ବିଭିନ୍ନ ପ୍ରକାର ଟାଇଲ ବ୍ୟବହାର କରିପାରିବେ। ଏହା ଓ୍ବାନ୍‌ ଟାଇମ୍‌ ଇନ୍‌ଭେଷ୍ଟମେଣ୍ଟ। ହେଲେ ଆହୁରି କମ୍‌ ଖର୍ଚ୍ଚରେ କାନ୍ଥ ସଜାଇବାକୁ ଚାହୁଁଥିଲେ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ପ୍ରକାର ଓ୍ବାଲ୍‌ ପେପର ଲଗାଇପାରିବେ।
– ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ଲଗାଇବାକୁ ଚାହୁଁଥିଲେ ବିଭିନ୍ନ ପେଣ୍ଟିଂ ଲଗାଇପାରିବେ। ଘରେ ଥିବା ପୁରୁଣା ଫଟୋ ଫ୍ରେମ୍‌ରେ କୌଣସି ସୁନ୍ଦର ପ୍ରିଣ୍ଟେଡ୍‌ ଓ୍ବାଲ୍‌ପେପର, କ୍ୟାଲେଣ୍ଡର ଆଦି କାଟି ମଧ୍ୟ ପୁନର୍ବାର ବ୍ୟବହାର କରିପାରିବେ। ନିଜେ ମଧ୍ୟ ପେଣ୍ଟିଂ କିମ୍ବା ପ୍ୟାଚ୍‌ ଓ୍ବାର୍କ କରି କାନ୍ଥରେ ଲଗାଇପାରିବେ। ବିଶେଷକରି ଲିଭିଂ ଏବଂ ଷ୍ଟଡି ରୁମ୍‌ ଓ୍ବାଲ୍‌ ଡେକୋରେଶନ ଲାଗି ଏସବୁ ବେଶି ସୁନ୍ଦର ଲାଗିବ।
– ଆପଣଙ୍କର ଆର୍ଟ କିମ୍ବା କ୍ରାଫ୍ଟ ଓ୍ବାର୍କ ଉପରେ ଜ୍ଞାନ ଥିଲେ କମ୍‌ ବଜେଟରେ ଘର ସଜାଇବା ଖୁବ୍‌ ସହଜ ହେବ। ଆପଣ ଥର୍ମୋକୁଲ୍‌ କିମ୍ବା ଆଇସ୍‌କ୍ରିମ୍‌ ଷ୍ଟିକ୍‌ରେ ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌, ଫ୍ଲାଓ୍ବାର ଭେସ୍‌ ପ୍ରସ୍ତୁତକରି ସେଥିରେ ସୁନ୍ଦର ରଙ୍ଗର ଫୁଲ ରଖିପାରିବେ। ଏହା ମଧ୍ୟ ଆପଣଙ୍କ ଘରର ଇଣ୍ଟେରିୟରକୁ ଅଧିକ ସୁନ୍ଦର କରିବ।
– ଡ୍ରଇଂ ରୁମ୍‌, ବଡ଼ ହଲ୍‌ କିମ୍ବା ବାରଣ୍ଡାକୁ ରୟାଲ ଲୁକ୍‌ ଦେବାକୁ ଚାହୁଁଥିଲେ ନିଜର କୌଣସି ସୁନ୍ଦର ଶାଢ଼ି କିମ୍ବା ଏମ୍ବ୍ରୋଡୋରି, ବୁଣା ହୋଇଥିବା ଅବା ଅନ୍ୟ କାମ ହୋଇଥିବା କପଡ଼ାକୁ ବଡ଼ ଓ ଲମ୍ବା କାର୍ଡ ବୋର୍ଡ ଉପରେ ଲଗାଇ କାନ୍ଥରେ ଟଙ୍ଗାଇ ପାରିବେ।