Categories: ଫୁରସତ

ଘର ଭଡ଼ା ନେଉଥିଲେ…

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ  ଅଧିକାଂଶ ପରିବାର ଭଡ଼ାଘର ନେଇ ରହିଥାନ୍ତି। ସେଠାରେ ଆବଶ୍ୟକତା ଅନୁସାରେ ସମସ୍ତ ସାମଗ୍ରୀ ମଧ୍ୟ ରଖିଥାନ୍ତି।  ହେଲେ ବେଳେବେଳେ ବିଭିନ୍ନ କାରଣରୁ ଘର ପରିବର୍ତ୍ତନ କରିବାକୁ ପଡୁଥିବାରୁ କେତେକ ସାମଗ୍ରୀ ଭାଙ୍ଗିଯିବା କିମ୍ବା  ନଷ୍ଟ ହେବାର ଆଶଙ୍କାଥାଏ। ତେଣୁ ଭଡ଼ାଘରେ କେଉଁସବୁ ଜିନିଷ ନ ରଖିବା ଭଲ ଜାଣି ରଖନ୍ତୁ…

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ: ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିନା ଚଳିବା ଯେମିତି ଏକ ପ୍ରକାରର ଅସମ୍ଭବ ହୋଇଗଲାଣି। ହେଲେ ଭଡାଘରେ ରହୁଥିଲେ, ପରେ ସିଫ୍ଟ ବେଳେ ଯେପରି ନଷ୍ଟ ନ ହୁଏ ସେଥିପାଇଁ ଟିଭି, ଫ୍ରିଜ୍‌, ଫ୍ୟାନ୍‌, କମ୍ପ୍ୟୁଟର ଭଳି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀକୁ ଛାଡି ଏସି, ମାଇକ୍ରୋଓ୍ବେଭ୍‌, ଗିଜର ଆଦି ସାମଗ୍ରୀ କମ୍‌ ରଖିବାକୁ ଚେଷ୍ଟା କରନ୍ତୁ।
ଗାଡ଼ି: ଭଡ଼ାଘରେ ରହୁଥିଲେ ସଉକ ପାଇଁ ଏକାଧିକ ଗାଡ଼ି ବିଶେଷକରି ଚାରି ଚକିଆ ଯାନ ନ କିଣିବା ଭଲ। କାରଣ ଅନେକ ଭଡାଘରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ଜାଗା ନ ଥାଏ। ତେଣୁ ଗାଡି ରଖିବା ନିହାତି ଆବଶ୍ୟକ ଥିଲେ ପ୍ରଥମେ ପାର୍କିଂ ବ୍ୟବସ୍ଥା ଦେଖିବା ପରେ ଭଡ଼ା ନିଅନ୍ତୁ। ନଚେତ୍‌ ଆପଣଙ୍କୁ ରାସ୍ତା କଡରେ ଗାଡି ରଖିବାକୁ ପଡିପାରେ, ଯାହାକି ଉଭୟ ଅବୈଧ ଏବଂ ବିପଦପୂର୍ଣ୍ଣ।
ଗୃହସଜ୍ଜା ଉପକରଣ: ଘର ସଜାଇବାକୁ ସମସ୍ତେ ଭଲ ପାଆନ୍ତି, ତାହା ନିଜ ଘର ହେଉ ଅବା ଭଡାଘର। ହେଲେ ଭଡାଘର ମଝିରେ ମଝିରେ ବଦଳାଇବାକୁ ହେଉଥିବାରୁ ସିଫ୍ଟ ସମୟରେ ଯେପରି ଭାଙ୍ଗି ନ ଯାଏ ସେଥିପାଇଁ ଅଧିକ ଦାମୀ କାଚ ଶୋ ପିସ୍‌, ଝୁମର, ଅନ୍ୟାନ୍ୟ ଡେକୋରେଟିଭ୍‌ ଲାଇଟ୍‌ ଆଦି ସାମଗ୍ରୀ ନ ରଖିବା ଭଲ। ସେହିପରି ଅଧିକ ଦାମୀ ଗ୍ଲାସ୍‌ କିମ୍ବା ସେରାମିକ୍‌ ଫ୍ଲାଓ୍ବାର ପଟ୍‌ ବଦଳରେ ନ ଭାଙ୍ଗିବା ଲାଗି ମେଟାଲିକ୍‌ ପଟ୍‌ ରଖନ୍ତୁ। ଯଦି ସେସବୁ ନିହାତି ପସନ୍ଦ ତେବେ ତା’ ବଦଳରେ ଆପଣ ଚାହିଁଲେ ମାଟିର ଡେକୋରେଟିଭ୍‌ ଜିନିଷ କିମ୍ବା ପଟ୍‌ ରଖିପାରିବେ, ଯାହାକି ଭାଙ୍ଗିଗଲେ ଅଧିକ ଟଙ୍କା ନଷ୍ଟ ହେବାର ଦୁଃଖ ରହିବନାହିଁ।
ପୋଷା ଜୀବଜନ୍ତୁ: ଘରେ ପୋଷା ଜୀବଜନ୍ତୁ ରଖିବାର ସଉକ ଅନେକଙ୍କ ରହିଛି। ହେଲେ ଯଦି ଆପଣ ଭଡାଘରେ ରହୁଛନ୍ତି ତେବେ ପୋଷା ଜୀବଜନ୍ତୁ ନ ରଖିବା ଭଲ। କାରଣ ଅନେକ ଘର ମାଲିକ କୁକୁର, ବିଲେଇ ଆଦି ନିଜ ଘରେ ରଖିବାକୁ ପସନ୍ଦ କରନ୍ତି ନାହିଁ।

Share