ଘର ପାଲଟିଲା ସିନେମା ହଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ଏବେ ସବୁ ସିନେମା ହଲ୍‌କୁ ବନ୍ଦ କରି ଦିଆଯାଇଛି। ସେଥିପାଇଁ ଘର ବାହାରେ ମନୋରଞ୍ଜନର କୌଣସି ସୁବିଧା ନାହିଁ। କିନ୍ତୁ ଏଭଳି ଏକ ସମୟରେ ନିଜ ଘରକୁ ବି ସିନେମା ହଲ୍‌ର ରୂପ ଦେଇହେବ। ଏଭଳି ଏକ ଚିନ୍ତାକୁୁ ରୂପ ଦେଇଛନ୍ତି ମାଇକେଲ୍‌ ଓ ମାରିସା। ଏହି ଦମ୍ପତ୍ତି ନିଜ ଘରକୁ ସିନେମା ହଲର ରୂପ ଦେଇ ଏକ ସୁନ୍ଦର ଟିକ୍‌ ଟକ୍‌ ଭିଡିଓ କରି ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି।
ମାଇକେଲ୍‌ ହିଁ ତାଙ୍କ ଜୀବନସାଥୀ ମାରିସାଙ୍କ ପାଇଁ ଘରକୁ ସିନେମା ହଲ୍‌ରେ ପରିଣତ କରି ଦେଇିଛନ୍ତି। ତେଣୁ ମାରିସା ପ୍ରଥମେ ଘର ଭିତରକୁ ଆସିବା ପୂର୍ବରୁ କାଗଜରେ ଡିଜାଇନ୍‌ ହୋଇ ଲେଖାଥିବା ଏକ ସିନେମା ଟିକେଟ୍‌ ତାଙ୍କୁ ଧରାଇ ଦିଆଯାଉଛି। ଏହାପରେ ଜଣେ ତାଙ୍କୁ ଚେକ୍‌ କରି ଭିତରକୁ ପ୍ରବେଶ କରାଉଛି। ଭିତରକୁ ପ୍ରବେଶ କରିବା ମାତ୍ରେ ତାଙ୍କ ନିଜ ଘରେ ତାଙ୍କୁ ସିନେମା ହଲ୍‌ ଭଳି ଅଡିଟୋରିଅମ୍‌, ୱାଶ୍‌ରୁମ୍‌, ଚା କଫି ଆଦି ସବୁକିଛି ସ୍ବତନ୍ତ୍ର ଶୈଳୀରେ ମିଳିଯାଉଛି। ସିନେମା ହଲ୍‌ ଭଳି ତାଙ୍କୁ ଏକ ବଡ଼ ଜାଗାରେ ଚିପ୍ସ ଓ ପପ୍‌କର୍ଣ୍ଣ ଦେଇ ପାଛୋଟି ନେଉଛନ୍ତି ତାଙ୍କ ସାଥୀ ମାଇକେଲ୍‌। ଏହାପରେ ଘର ଭିତରେ ସେମାନେ ଏକ ସୁନ୍ଦର ଆଲୋକ ସଜ୍ଜା ପରିବେଶରେ ଟିଭି ଦେଖୁଛନ୍ତି।
ମାଇକେଲଙ୍କ ଏଭଳି ଏକ ଚିନ୍ତାଧାରା ଏବେ ତାଙ୍କ ସାଥୀଙ୍କୁ ତ ଇମ୍ପ୍ରେସ୍‌ କରିପାରିଛି ତା’ସହ ସାଧାରଣ ଲୋକଙ୍କୁ ବି ବେଶ୍‌ ପସନ୍ଦ ଆସିଛି। ଏହି ଟିକ୍‌ ଟକ୍‌ ଭିଜୁଆଲ୍‌ ପୋଷ୍ଟ ହେବାର ମାତ୍ର ଚାରିଦିନ ପରେ ଏହାକୁ ୧.୩ ମିଲିଅନ୍‌ରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହା ସହିତ ୮ହଜାରରୁ ଅଧିକ ଲୋକ ଏନେଇ ସୁନ୍ଦର ସୁନ୍ଦର କମେଣ୍ଟ ବି ଦେଇଛନ୍ତି। ନିଜସାଥୀଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ଏତେ ସୁନ୍ଦର ଶୈଳୀର ପରିକଳ୍ପନାକୁ ନେଇ ଲୋକେ ମାଇକେଲଙ୍କୁ ଢେର୍‌ ପ୍ରଶଂସା କରିଛନ୍ତି।

Share