ଘର ପାଉନାହାନ୍ତି ପ୍ରକୃତ ହିତାଧିକାରୀ : ପଞ୍ଚାୟତ ଅଫିସ ଘେରିଲା ମହିଳା ସଂଘ

ଏରସମା,୩ା୮(ସ୍ବ.ପ୍ର.): ଏରସମା ବ୍ଲକ ଜିରାଇଲୋ ପଞ୍ଚାୟତର ବହୁ ଗରିବ ପରିବାର ସରକାରୀ ଯୋଜନାରେ ଘର ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ହିତାଧିକାରୀ ଚୟନ କରିବା ପାଇଁ ଦାୟିତ୍ୱ ନେଇଥିବା କର୍ମଚାରୀଙ୍କ ପ୍ରିୟାପ୍ରୀତି ତୋଷଣ ଯୋଗୁ ଏଭଳି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ୨୦ରୁ ଊର୍ଦ୍ଧ୍ୱ ମହିଳା ଜିରାଇଲୋ ପଞ୍ଚାୟତ କାଯର୍‌ୟାଳୟ ଘେରାଉ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ମୋ କୁଡିଆ ଓ ବିଜୁ ପକ୍କା ଘର ଯୋଜନାରେ ହିତାଧିକାରୀ ଚୟନ କରିବାକୁ କେତେଜଣ ମହିଳା କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମାତ୍ର ସେମାନେ ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରୁଛନ୍ତି। ଆବେଦନ କରିବା ସମୟ ଶେଷ ହୋଇଥିଲେ ମଧ୍ୟ ସେମାନେ ହିତାଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇନାହାନ୍ତି। ଏହାର ପ୍ରତିବାଦରେ ସ୍ବସ୍ତି ସେବକ ମହିଳା ସଂଘର ସଭାପତି କୌଶଲ୍ୟା ଦାସ, ସମ୍ପାଦିକା ଅହଲ୍ୟା ଲେଙ୍କା, ବୁଢି ଜାଗୁଳାଇ ମହିଳା ସଂଘ ସଭାପତି ଟୁନି ଲେଙ୍କା, ମା’ ଚାଚଖାଇ ମହିଳା ସଂଘର ସଭାପତି ଶୈଳବାଳା ସ୍ବାଇଁ, ସମ୍ପାଦିକା ରୁକ୍ମଣୀ ଦାସଙ୍କ ସହିତ ସାବିତ୍ରୀ ଦାସ, କଲ୍ୟାଣୀ ଲେଙ୍କା, ମୀନତି ସାହୁ, ମୀନତି ବେହେରା, ସୁନେଇ ସ୍ବାଇଁ, ମମତା ସ୍ବାଇଁ, କମଳା ସୁବୁଦ୍ଧି, ମାଧୁରୀ ସେଠୀ ପ୍ରମୁଖ ପଞ୍ଚାୟତ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପଞ୍ଚାୟତର ସମ୍ପାଦକ ଦୀପକ କୁମାର ଦାସ ସେମାନଙ୍କୁ ବୁଝାସୁଝା କରିବା ସହ ବିଡିଓଙ୍କ ସହିତ ଆଲୋଚନା କରି କିଛି ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତୁରନ୍ତ ଆଉ ଥରେ ସର୍ଭେ କରି ପ୍ରକୃତ ହିତାଧିକାରୀଙ୍କୁ ଘର ନ ଦେଲେ ବ୍ଲକ ଘେରାଉ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।