ଘର ଦେବାରେ ଖିଲାପ କଲେ ବିଲ୍‌ଡରଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ଭୁବନେଶ୍ୱର,୬-୯(ବ୍ୟୁରୋ):ଘର ଖଣ୍ଡେ ପାଇଁ ବ୍ୟକ୍ତି ନିଜର ସମସ୍ତ ଆୟକୁ ଲଗାଇ ଦେଇଥାଏ। ଟଙ୍କା ପଇଠ କରି ଯଦି ଘର ନ ମିଳିବ ତେବେ କଥା ସରିଲା। ରାଜ୍ୟ ତଥା ଦେଶରେ ବହୁ ବ୍ୟକ୍ତି ଘର ନ ପାଇ ବିଲଡର କିମ୍ବା ରିୟଲ ଇଷ୍ଟେଟ୍‌ ମାଲିକଙ୍କ ଠକାମିର ଶିକାର ହେଉଛନ୍ତି। ଏହାକୁ ରୋକିବା ତଥା ଖିଲାପ କରିଥିବା ବିଲ୍‌ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି(ରେରା) ଆଇନ କାର୍ଯ୍ୟକାରୀ କରିଛନ୍ତି। ଘର ନ ଦେଇ ଦୀର୍ଘବର୍ଷ ଧରି ଠକୁଥିବା ବିଲଡରଙ୍କୁ ସାବାଡ଼ କରିବାକୁ ରାଜ୍ୟ ସରକାର ନୂତନ ନିୟମ କାର୍ଯ୍ୟକାରୀ କରିଛନ୍ତି। ଘର ନିର୍ଦ୍ଧାରିତ ସମୟରେ ଦେଇ ନ ପାରିଲେ ଓଡିଶା ରିୟଲଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା)ସମ୍ପୃକ୍ତ ବିଲ୍‌ଡରଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବ। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କେତେକ ଅସାଧୁ ବିଲ୍‌ଡରଙ୍କ ପାଇଁ ସମସ୍ତଙ୍କୁ ବଦ୍‌ନାମ ହେବାକୁ ପଡୁଛି। ଏହି ନୂଆ ନିୟମ କାର୍ଯ୍ୟକାରୀ ହେଲେ ସେମାନେ ସମ୍ମାନ ଫେରି ପାଇବେ ବୋଲି କେତେକ ବିଲ୍‌ଡର କହିଛନ୍ତି। ତେବେ ଏହି ନିୟମ କେତେ ଦୂର କାର୍ଯ୍ୟକାରୀ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ।