ଘର ଉପରକୁ ଢଳିପଡ଼ିଛି ୧୧ କେଭି ବିଦ୍ୟୁତତାର, ସ୍ଥାନାନ୍ତର ଦାବି

ଆନନ୍ଦପୁର,୬ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ ଅର୍ଜୁନବଣିଆ ଗ୍ରାମର ଗୋଟିଏ ପରିବାରର ୫ ପ୍ରାଣୀ କୁଟୁମ୍ବ ଏବେ ଭୟ ଆଶଙ୍କା ମଧ୍ୟରେ ଜୀବନ ଅତିବାହିତ କରୁଥିବା ଦୃଷ୍ଟିକୁ ଆସିଛି। ଗ୍ରାମର ଜଇ ନାଇକଙ୍କ ଘର ନିକଟ ଦେଇ ୧୧ କେଭି ବିଦ୍ୟୁତତାର ଯାଇଥିବାରୁ ପରିବାର ଲୋକେ ପ୍ରତି ମୁହୂର୍ତ୍ତରେ ପ୍ରମାଦ ଗଣୁଛନ୍ତି। ବିଦ୍ୟୁତଖୁଣ୍ଟର ତଳ ଭାଗଟି ନଷ୍ଟ ହୋଇ ଘର ପାର୍ଶ୍ୱକୁ ଢଳି ପଡ଼ିଛି। ଘର ଉପରେ ପଡ଼ିଯିବା ଭୟରେ ପରିବାର ଲୋକେ ବାଉଁଶ ଓ କାଠ ଢିରା ଦେଇ ଖୁଣ୍ଟକୁ ଅଟକାଇବା ପାଇଁ ଉଦ୍ୟମ କରିଛନ୍ତି। ବର୍ଷାଦିନ ଆସିଯାଇଥିବାରୁ ଖୁଣ୍ଟଟି ପଡ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ତିଳେମାତ୍ର ଦୃଷ୍ଟି ଦେଇ ନ ଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଆନନ୍ଦପୁର ବିଦ୍ୟୁତ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି।