Categories: ଖେଳ

ଘରୋଇ କ୍ରିକେଟ ଖେଳିବାକୁ ଚାହାନ୍ତି କନେରିଆ

କରାଚୀ, ୧୫ା୬ (ପି.ଟି.)-ପୂର୍ବତନ ପାକିସ୍ତାନର ପୂର୍ବତନ ସ୍ପିନର ଡାନିଶ କନେରିଆ ୨୦୧୩ରେ ତାଙ୍କ ଉପରେ ଲାଗୁ କରାରାଇଥିବା ଆଜୀବନ ବାସନ୍ଦ ଦଣ୍ଡକୁ ଉଠାଇ ଦେବାଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଅନୁରୋଧ କରିଛନ୍ତି। ସ୍ପଟ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଏହି ଦଣ୍ଡ ବିଧାନ କରାଯାଇଥିଲା। ଟେଷ୍ଟରେ କନେରିଆ ହେଉଛନ୍ତି ପାକିସ୍ତାନର ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର। କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରି ଏପରିକି ସେ ଘରୋଇ କ୍ରିକେଟ ଖେଳିବାକୁ ଚାହୁଛନ୍ତି। ଖେଳରୁ ଅର୍ଥ ଉପାର୍ଜନ କରି ସେ ଜୀବନ ଜୀବିକା ନିର୍ବାହ କରିବାକୁ ଚାହୁଛନ୍ତି ବୋଲି ପିସିବି ମୁଖ୍ୟ ଏହେଶାନ ମନିଙ୍କ ନିକଟକୁ ଏକ ଚିଠି ଜରିଆରେ ନିବେଦନ କରିଛନ୍ତି। ୨୦୧୨ରେ ଇଂଲିଶ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) କନେରିଆଙ୍କୁ ଆଜୀବନ ବାସନ୍ଦ କରିଥିଲା। ଏହା ବିରୋଧରେ ସେ ଅପିଲ କରି ନ ଥିବାରୁ ପିସିବି କନେରିଆଙ୍କୁ ଦଣ୍ଡିତ କରିଥିଲା। ଅତୀତରେ ମହମ୍ମଦ ଅମିର ଓ ସଲମନ ଭଟ୍‌ ବାସନ୍ଦ ଦଣ୍ଡ ଭେଗି ସାରିବା ପରେ ସେମାନଙ୍କୁ ଖେଳିବାକୁ ଅନୁମତି ମିଳିଥିଲା। ତେଣୁ ତାଙ୍କ ପ୍ରତି କାହିଁକି ଅବିଚାର କରାଯାଉଛି ବୋଲି ସେ ଅନେକ ଥର ଯୁକ୍ତି ଉପସ୍ଥାପନ କରିସାରିଛନ୍ତି। କନେରିଆ କହିଛନ୍ତି ତାଙ୍କ ନିକଟରେ ଏକମାତ୍ର ବୋଲିଂ କଳା ରହିଛି। ଏହାର ସଦୁପଯୋଗ ଦ୍ୱାରା ଅର୍ଥ ଉପାର୍ଜନ କରି ମୁଁ ଚଳିବାକୁ ଚାହୁଥିଲେ ମଧ୍ୟ ମୋତେ ସୁଯୋଗ ଦିଆଯାଉ ନାହିଁ। ୨୦୦୯ରେ ଡର୍‌ହାମ ବିପକ୍ଷ ଏସେକ୍ସ ଇଂଲିଶ କାଉଣ୍ଟି ମ୍ୟାଚରେ ଖେଳୁଥିବାବେଳେ ମର୍ଭିନ ଓ୍ବେଷ୍ଟଫିଲ୍‌ଡଙ୍କ ସହ ସ୍ପଟ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କନେରିଆ। ଏହି ମାମଲାରେ ସେ ଦୀର୍ଘ ଦିନ ହେଲା ପିସିବିଠାରୁ ସହାୟତା ମାଗି ଆସିଥିଲେ ମଧ୍ୟ ସେଥିରୁ କିଛି ଫଳ ମିଳୁ ନାହିଁ। ପାକିସ୍ତାନ ତରଫରୁ କ୍ରିକେଟ ଖେଳିବାରେ କନେରିଆ ହେଉଛନ୍ତି ଦ୍ୱିତୀୟ ହିନ୍ଦୁ। ସେ ୬୧ଟି ଟେଷ୍ଟ ମ୍ୟାଚ ଖେଳି ୨୬୧ ଉଇକେଟ ଅକ୍ତିଆର କରିଥିଲେ। ୨୦୦୦ରୁ ୨୦୧୦ ମଧ୍ୟରେ ସେ ମାତ୍ର ୧୮ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ତାଙ୍କ ପୂର୍ବରୁ ତାଙ୍କ ମାମଁୁ ଅନୀଲ ଦଲପତ୍‌ ପାକିସ୍ତାନରୁ ପ୍ରତିନିଧିତ୍ୱ କରିଥିଲେ।

Share