ଘରେ ପହଞ୍ଚି ପାରିଲେନି: ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଓ ୨ ଶିଶୁ ଗୁରୁତର

ଛେଣ୍ଡିପଦା, ୨୪।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳ ଦେଇଯାଇଥିବା ୫୫ନଂ. ଜାତୀୟ ରାଜପଥ ତୁକୁଡା ମୁଣ୍ଡାସାହି ନିକଟରେ ମଙ୍ଗଳବାର ଭୋର୍‌ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ମୃତକ ହେଲେ ରେଢାଖୋଲ ଅଞ୍ଚଳର ନୀଳମଣି ବେହେରା।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନୀଳମଣି ସ୍ତ୍ରୀ ଏବଂ ୨ ପିଲାଙ୍କୁ ନେଇ ବାଇକ୍‌ରେ ଅନୁଗୋଳରୁ ରେଢ଼ାଖୋଲସ୍ଥିତ ନିଜ ଘରକୁ ଯାଉଥିଲେ। ଭୋର୍‌ ୪ଟାରେ ଜରପଡ଼ା ନିକଟରେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲେ। ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ନୀଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।