ଘରେ କରନ୍ତୁ ହେୟାର ଡିଟକ୍ସ

କେଶକୁ ସୁନ୍ଦର ଏବଂ ମଜଭୁତ କରିବା ଲାଗି ଏହାକୁ ପରିଷ୍କାର ରଖିବା ସହ ଯତ୍ନ ନେବା ଆବଶ୍ୟକ। ତେବେ ଏଥିପାଇଁ ଆପଣ ଚାହିଁଲେ ଘରେ ହେୟାର୍‌ ଡିଟକ୍ସ କରିପାରିବେ । ଜାଣିରଖନ୍ତୁ ସେ ସମ୍ପର୍କରେ…

ମାର୍କେଟରେ ମିଳୁଥିବା ବିଭିନ୍ନ କେମିକାଲ୍‌ଯୁକ୍ତ ଶାମ୍ପୁ, ତେଲ, କଲର ଇତ୍ୟାଦି କେଶକୁ ହାନି ପହଞ୍ଚାଇଥାଏ। ଏହାଦ୍ୱାରା କେଶମୂଳରେ ମଳି ଜମିଯିବା ଫଳରେ କେଶ ଭଲ ଭାବେ ବଢିପାରେନି ଏବଂ ଦୁର୍ବଳ ହୋଇଝଡିବା ଆରମ୍ଭ ହୋଇଯାଏ। ତେଣୁ ଆପଣ ଚାହିଁଲେ କେଶକୁ ସଫା ତଥା ପ୍ରଦୂଷଣ ମୁକ୍ତ(ଡିଟକ୍ସ) ରଖିବା ଲାଗି କେତେକ ଘରୋଇ ଉପାୟ ଆପଣାଇ ପାରିବେ…
ଲେମ୍ବୁ ଏବଂ କାକୁଡି ରସ ସମାନ ପରିମାଣରେ ନେଇ କେଶ ମୂଳରେ ଲଗାଇ କିଛି ସମୟ ଛାଡିଦେବା ପରେ ଧୋଇଦିଅନ୍ତୁ। ନଚେତ୍‌ କାକୁଡି ଏବଂ ଲେମ୍ବୁକୁ ଭଲ ଭାବେ ପେଷ୍ଟ କରନ୍ତୁ। ସେଥିରେ କିଛି ବୁନ୍ଦା ଏସେନ୍ସିଆଲ୍‌ ଅଏଲ ମିଶାଇ କେଶ ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ। କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ।
୧/୪ କପ୍‌ ଆପଲ୍‌ ସାଇଡର ଭିନେଗାରରେ ୨ କପ୍‌ ପାଣି ମିଶାଇ ରଖନ୍ତୁ। କେଶ ଶାମ୍ପୁ କରିବା ପରେ ଏହି ମିଶ୍ରଣକୁ ଲଗାଇ ୨ ମିନିଟ୍‌ ରଖି ଧୋଇ ଦିଅନ୍ତୁ। ଏହା କେଶକୁ ପରିଷ୍କାର କରିବା ସହ ଡ୍ରାଏ ହେବାକୁ ଦେଇ ନ ଥାଏ।
ଅଏଲି କେଶକୁ ଡିଟକ୍ସ କରିବା ଲାଗି ବେକିଂ ସୋଡା ଉପକାରୀ। ଏଥିପାଇଁ ୩ କପ୍‌ ଉଷୁମ ପାଣିରେ ୧/୪ କପ୍‌ ବେକିଂ ସୋଡା ମିଶାଇ କେଶରେ ଲଗାଇ ୨ ମିନିଟ୍‌ ଧୀରେ ଧୀରେ ମସାଜ କରନ୍ତୁ। ଏହାପରେ କେଶକୁ ଭଲ ଭାବେ ଧୋଇଦିଅନ୍ତୁ। ଏହାଦ୍ୱାରା କେଶମୂଳରେ ଥିବା ପୋର୍ସ ଖୋଲିଯିବ ଏବଂ ସେଥିରେ ଜମି ରହିଥିବା ତେଲ ଏବଂ ମଇଳା ବାହାରିଯିବ ।
୨ ଚାମଚ ଶିକାକାଇ ପାଉଡରରେ ଆବଶ୍ୟକ ମୁତାବକ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଓଦା କେଶରେ ମୂଳରୁ ଅଗ ପର୍ଯ୍ୟନ୍ତ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଅଳ୍ପ ସୁଖି ଆସିଲେ ଭଲ ଭାବେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କରନ୍ତୁ କେଶ ସଫା ରହିବା ସହ ସୁନ୍ଦର ଏବଂ ମଜଭୁତ ବି ରହିବ।