ଘରୁ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଚୋରି

ଭଣ୍ଡାରିପୋଖରୀ, ୧୮।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ନାଆଁମୀ ପଞ୍ଚାୟତ ନାୟକସାହିର କିଶୋର ନାୟକଙ୍କ ଘରୁ ଗତ ୧୧ ତାରିଖ ରାତିରେ ନଗଦ ୮୦ ହଜାର ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ପୋଲିସ ମାମଲା (ନଂ. ୭୬/୧୯) ରୁଜୁ କରି ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ନାଆଁମୀ ତାଳବରେଇ ସାହିରେ ଅପେରା ଯାତ୍ରା ଚାଲିଥିଲା। କିଶୋରଙ୍କ ପରିବାର ସଦସ୍ୟ ଅପେରା ଦେଖିବାକୁ ଯାଇଥିଲେ। ଘରେ ୨/୩ ଜଣ ମହିଳା ଥିଲେ। ବିଳମ୍ବିତ ରାତିରେ ଘର ତାଲା ଭାଙ୍ଗି ଚୋର ଘରେ ପଶି ନଗଦ ୮୦ ହଜାର ଟଙ୍କା ସହ ସୁନାଚେନ, ମୁଦି, କାନଫୁଲ, ମଙ୍ଗଳସୂତ୍ର, ବାହୁଟି ଆଦି ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ନେଇଯାଇଛନ୍ତି। ଗ୍ରାମର ଜଣେ ଯୁବକ ଚୋରି କରିଥିବା ପରିବାର ଲୋକ ଦେଖିଥିବା କିଶୋରଙ୍କ ପୁଅ ଶରତ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ପୋଲିସ କାହାରିକୁ ଗିରଫ କରିନାହିଁ। ପ୍ରକାଶ ଯେ, ମଞ୍ଜୁରୀରୋଡ ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଚୋରମାନେ ଘରୁ, ଦୋକାନ, ମନ୍ଦିର ଆଦି ସ୍ଥାନରୁ ଚୋରି କରି ଚାଲିଥିଲେ ମଧ୍ୟ ଫାଣ୍ଡି ପୋଲିସ ଆଜି ଯାଏ କୌଣସି ଚୋରିର ସୁରାକ ପାଇପାରି ନାହିଁ। ମଞ୍ଜୁରୀରୋଡ ଅଞ୍ଚଳ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏଠାରେ ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବାକୁ ସାଧାରଣରେ ଦାବି ହେଉଛି।