Categories: ଜାତୀୟ

ଘରଭଡ଼ା ଦେଇପାରୁନାହାନ୍ତି କମଲନାଥ ସରକାର: ବନ୍ଦ ହେବ ୨୬ ହଜାର ଅଙ୍ଗନଓ୍ବାଡି କେନ୍ଦ୍ର

ଭୋପାଳ,୨୭ା୬ (ଆଇଏଏନ୍‌ଏସ୍‌)L ଛୋଟ ଛୋଟ ପିଲାଙ୍କ ମାନସିକ, ଶାରୀରିକ, ଶୈକ୍ଷିକ ଓ ବୌଦ୍ଧିକ ବିକାଶ ଲାଗି ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ଭୂମିକା ଅତୁଳନୀୟ। ହେଲେ ମଧ୍ୟପ୍ରଦେଶର କମଲନାଥ ସରକାର ଏକ୍ଷେତ୍ରରେ ସେତେଟା ଆନ୍ତରିକତା ଦେଖାଉନାହାନ୍ତି। ଅନେକ ସ୍ଥାନରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଲାଗି ସରକାର ଘରଟିଏ ଯୋଗାଇ ପାରିନାହାନ୍ତି। ଭଡ଼ା ଘରେ ଏହି କାର୍ଯ୍ୟ ଚାଲୁଥିବାବେଳେ ଠିକ୍‌ଭାବେ ଭଡ଼ା ପୈଠ ନ ହେବାରୁ ସେଠାରେ ତାଲା ଝୁଲିବା ପରିସ୍ଥିତି ଦେଖାଯାଉଛି।
ମୋଟ ୯୭,୧୩୯ ଅଙ୍ଗନଓ୍ବାଡ଼ି କେନ୍ଦ୍ର ମଧ୍ୟରୁ ୨୯,୩୮୩ କେନ୍ଦ୍ର ଭଡ଼ାଘରେ ଚାଲୁଛି। ସେଥିମଧ୍ୟରୁ ୨୬ ହଜାର କେନ୍ଦ୍ରରେ ମାସିକ ୩ ହଜାର ଟଙ୍କା ଘର ଭଡ଼ା କେବେଠାରୁ ପୈଠ କରାଯାଇନାହିଁ। ଘର ମାଲିକଙ୍କ ମର୍ଜିରେ ଏହି କେନ୍ଦ୍ର ଚାଲୁଥିବାବେଳେ ଅନେକ ବନ୍ଦହୋଇ ଗଲାଣି। ସେହିଭଳି ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ମାସିକ ଦରମା ମଧ୍ୟ ଠିକ୍‌ଭାବେ ମିଳୁ ନ ଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ଜବଲ୍‌ପୁରରେ ଅଙ୍ଗନଓ୍ବାଡ଼ି କର୍ମୀ ମାସିକ ଘରଭଡ଼ା ସରକାର ପୈଠ କରିବା ଦାବିରେ ବିକ୍ଷୋଭ କରିଛନ୍ତି। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଇମର୍ତ୍ତୀ ଦେବୀ ଏନେଇ ସରକାର ବ୍ୟବସ୍ଥା କରୁଥିବା କହିଛନ୍ତି।

Share