ଘରଭଙ୍ଗା ସହାୟତା: ୮୫୦ କ୍ଷତିଗ୍ରସ୍ତଙ୍କ ଖାତାକୁ ଗଲା ୨୫ ଲକ୍ଷ

ପୁରୀ ଅଫିସ, ୧୫ା୬: ବାତ୍ୟାରେ ପୁରୀ ଜିଲାରେ ବହୁ ଘର ସମ୍ପୂର୍ଣ୍ଣ ଓ ଆଉ କେତେକ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରଶାସନ ପକ୍ଷରୁ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରାଯିବା ପରେ ବିପନ୍ନଙ୍କ ପାଖକୁ ସହାୟତା ରାଶି ପ୍ରଦାନ ଆରମ୍ଭ ହୋଇଛି। ଶୁକ୍ରବାର ନିମାପଡ଼ା ତହସିଲ ଅନ୍ତର୍ଗତ ୮୫୦ ଜଣ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨୫ ଲକ୍ଷ ଟଙ୍କା ପଠାଯାଇଛି। ପର୍ଯ୍ୟାୟକ୍ରମେ ଏହି ଘରଭଙ୍ଗା ସହାୟତା ରାଶି ପ୍ରଦାନ କରାଯିବ। ନିମାପଡ଼ା ତହସିଲଦାର କମଳଜିତ ଦାଶ କ୍ଷୟକ୍ଷତି ଆକଳନର ରିପୋର୍ଟ ପ୍ରଥମେ ଜିଲା ପ୍ରଶାସନ ନିକଟରେ ଦାଖଲ କରିଥିଲେ। ତେଣୁ ପ୍ରଥମେ ନିମାପଡ଼ା ତହସିଲ ଅଞ୍ଚଳର କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି। ବାତ୍ୟାରେ ଜିଲାରେ ୨,୭୮,୭୬୨ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ୭୪ଟି ପକ୍କା ଘର୮,୯୮୫ କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ୬,୧୨୭ଟି ପକ୍କା ଘର ଏବଂ ୯୮,୫୮୮ଟି କଚ୍ଚା ଘର ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧,୧୩,୨୮୧ଟି ପକ୍କା ଘର ଏବଂ ୪୯,୫୨୯ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨,୧୭୮କୁଡ଼ିଆ ଏବଂ ୪୪,୩୭୮ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।