ଘରତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

ବାରଙ୍ଗ,୨୭ା୨(ଡି.ଏନ.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମମୁଣ୍ଡରେ ଥିବା ସିଏସ୍‌ଏସ୍‌ ହୋମ ଆପାର୍ଟମେଣ୍ଟର ୩୦୧ରୁମରୁ ମଙ୍ଗଳବାର ରାତିରେ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଚୋରମାନେ ଘରୁ ୧୦୦ ଗ୍ରାମର ସୁନା, ବିଦେଶୀମୁଦ୍ରା ସହ ନଗଦ ୧ଲକ୍ଷ ୨୫ହଜାରେ ଟଙ୍କା ଲୁଟି ନେଇଯାଇଛନ୍ତି। ସୂଚନାଯୋଗ୍ୟ, ଏହି ଆପାର୍ଟମେଣ୍ଟର ୩୦୧ ରୁମରେ ରହୁନ୍ତି ବରିଷ୍ଠ ନାଗରିକ ମୋହନ ପ୍ରସାଦ ଠାକୁର ଓ ତାଙ୍କ ସ୍ତ୍ରୀ ମଞ୍ଜୁ ଠାକୁର। ଗତ ପାଞ୍ଚଦିନ ହେବ ଭୁବନେଶ୍ୱରସ୍ଥିତ ଟଙ୍କପାଣି ରୋଡରେ ରହୁଥିବା ପୁଅ ପୁଷ୍ପକ ପାଖକୁ ଏହି ଦମ୍ପତି ଯାଇଥିଲେ। ଏହି ସୁଯୋଗରେ ଚୋରମାନେ ମଙ୍ଗଳବାର ଘରର ତାଲା ଭାଙ୍ଗି ବହୁ ସାମଗ୍ରୀ ଚୋରି କରି ନେଇଥିଲେ। ଏ ନେଇ ବୁଧବାର ସକାଳେ ତାଙ୍କ ପଡ଼ୋଶୀ ଏହା ଜାଣିବା ପରେ ଫୋନ ଯୋଗେ ଦମ୍ପତିଙ୍କୁ ଜଣାଇଥିଲେ। ଖବରପାଇ ଦମ୍ପତି ରୁମକୁ ଆସିବାପରେ ଭିତରେ ସବୁକିଛି ଏଣେତେଣେ ପଡିବା ସହ ଆଲମିରା ଭଙ୍ଗାଯାଇ କାନର, ସୁନା, ମୁଦି ସମେତ ୧୦୦ଗ୍ରାମର ସୁନା ଅଳଙ୍କାର ଓ କେତେକ ବିଦେଶୀ ଟଙ୍କା ସହ ନଗଦ ୧ଲକ୍ଷ ୨୫ହଜାର ଟଙ୍କା ନ ଥିବାର ଜାଣିଥିଲେ। ଏ ବିଷୟରେ ପୁଅକୁ ଜଣାଇବା ପରେ ପୁଅ ଆସି ଥାନାରେ ଅଭିଯୋଗ କରିଥିଲେ। ଝିଅ ଅଷ୍ଟ୍ରେଲିଆରେ ରହୁଥିବାବେଳେ ସେ କିଛି ଦେଇଥିବା ବିଦେଶୀ ଟଙ୍କା କେତେପରିମାଣର ଚୋରି ହୋଇଛି ଏବେ କହିପାରିବୁ ନାହିଁ ବୋଲି ମଞ୍ଜୁ ଠାକୁର କହିଛନ୍ତି। ଅପରପକ୍ଷେ ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ.୧୫/୨୦ରେ ଏକ ମାମଲା ରୁଜୁକରି ସାଇଣ୍ଟଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ବେଳେ ରୁମରେ ଲାଗିଥିବା ସିସିଟିଭି ଖରାପ ଥିବାର ପୋଲିସ ଜାଣିବାକୁ ପାଇଛି।