ଘରଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଛନ୍ତି ଅଧିକାରୀ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଦେଉଛନ୍ତି ପରାମର୍ଶ

ରାଇକିଆ,୨୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା ଲକ୍‌ଡାଉନ୍‌ ଅଛି । ରାସ୍ତା ଘାଟ ଶୂନ୍‌ଶାନ ଏବଂ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ବୃଦ୍ଧାବୃଦ୍ଧ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ତାହାକୁ ଦୃଷ୍ଟିରେ ରଖି ରାଇକିଆ ବ୍ଲକର ପ୍ରତ୍ୟେକ ଓ୍ବାର୍ଡରେ ଭତ୍ତା ଟଙ୍କା ପହଞ୍ଚିବା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପଞ୍ଚାୟତ ଓ ବ୍ଲକର ବିଭିନ୍ନ ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି । ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ୱାର୍ଡରେ ଏହା ବଣ୍ଟନ କରାଯାଉଛ। ବ୍ଲକରେ ସମୁଦାୟ ୮୭୫୯ ହିତାଧିକାରୀଙ୍କୁ ୪ ମାସ ଏପ୍ରିଲ, ମେ, ଜୁନ୍‌, ଜୁଲାଇ ପାଇଁ ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ସଂପୃକ୍ତ ଅଧିକାରୀମାନେ ବୃଦ୍ଧବୃଦ୍ଧାଙ୍କୁ କରୋନା ସମ୍ପର୍କିତ ସୂଚନା ଦେବା ସହ ଯଥେଷ୍ଟ ସାମାଜିକ ଦୂରତା ରକ୍ଷା କରିବା ସମ୍ପର୍କରେ ପରାମର୍ଶ ମଧ୍ୟ ଦେଉଛନ୍ତି।