ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

ପୁରୀ ଅଫିସ/ଭୁବନେଶ୍ୱର,୨୦।୧(ବ୍ୟୁରୋ): ଘରୁ ବିମୁଖ ହୋଇ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ କୌଣସି କାମଧନ୍ଦା ପାଇ ନ ଥିଲେ। କିଛିଦିନ ଏଣେତେଣେ ବୁଲିବା ପରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ ଗ୍ରହଣ କରିନେଇଥିଲେ। ଭକ୍ତଙ୍କଠାରୁ ଯାହାକିଛି ମିଳୁଥିଲା ତାହାକୁ ମହାପ୍ରଭୁଙ୍କ ଆଶୀର୍ବାଦ ଭାବି ସମୟ ଅତିବାହିତ କରି ଚାଲିଥିଲେ। ଦିନେ କି ଦୁଇଦିନ ନୁହଁ, ପ୍ରାୟ ୨୦ବର୍ଷ ଧରି ସେ ଏଠାରେ ଭିକ୍ଷାବୃତ୍ତି କରି ଜୀବନ ଅତିବାହିତ କରୁଥିଲେ। ଦୁଇଦିନ ତଳେ ଜଣେ ରିକ୍ସାଚାଳକଙ୍କ ସହ ଗଣ୍ଡଗୋଳ ଘଟଣାରୁ ତାଙ୍କ ପରିଚୟ ମିଳିଥିଲା। କାରଣ ପୁରୀ ଟାଉନ ଥାନାରେ ସେ ଯେଉଁ ଇଂଲିଶରେ ଏତଲା ଦେଇଥିଲେ ତାହା ନିର୍ଭୁଲ ଏବଂ ଉଚ୍ଚକୋଟୀର ଲେଖା ଥିଲା। ଏଥିରୁ ପୋଲିସ ତାଙ୍କ ପରିଚୟ ଖୋଜିବା ପରେ ସେ ଜଣେ ବି.ଟେକ୍‌ ପାସ କରିଥିବା ଇଞ୍ଜିନିୟର, ତାଙ୍କ ନାମ ଗିରିଜା ଶଙ୍କର ମିଶ୍ର ଏବଂ ଘର ଭୁବନେଶ୍ୱର ଜୟଦେବବିହାରରେ ବୋଲି ଜଣାପଡ଼ିଥିଲା। ଜଣେ ଇଞ୍ଜିନିୟରିଂ କରି ଭିକ ମାଗିବା ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ରବିବାର ତାଙ୍କ ବଡ଼ଭଉଣୀ, ଭିଣୋଇ ଓ ଭାଇ ପୁରୀ ଆସି ତାଙ୍କୁ ସାଥିରେ ଘରକୁ ନେଇଯାଇଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେମାନେ ଗିରିଜାଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କୁ ଘରକୁ ଯିବାକୁ କହିବାରୁ ସେ ପ୍ରଥମେ ମନା କରିଥିଲେ। କିନ୍ତୁ ତାଙ୍କୁ ପରିବାର ଲୋକେ ବୁଝାଶୁଝା କରିବା ପରେ ସେମାନଙ୍କ ସହ ସେ ଭୁବନେଶ୍ୱର ଜୟଦେବବିହାରସ୍ଥିତ ଘରକୁ ଫେରିଥିଲେ।
ମିଳିଥିବା ସୂଚନାନୁଯାୟୀ, ଗିରିଜା ୧୯୯୩ରେ ବି.ଟେକ୍‌. ପାସ କରିବା ପରେ କିଛିବର୍ଷ ଭୁବନେଶ୍ୱରର ଏକ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପନା କରିଥିଲେ। ତାଙ୍କ ବାପା ଜଣେ ଡିଏସ୍‌ପି ଥିଲେ। ଭାଇମାନେ ବିଦେଶରେ ଚାକିରି କରନ୍ତି। ମା’ବାପାଙ୍କ ମୃତ୍ୟୁ ଘଟିସାରିଥିବାବେଳେ ପାରିବାରିକ କଳହରୁ ସେ ଚାକିରି ଓ ଘର ଛାଡ଼ି ଶ୍ରୀକ୍ଷେତ୍ରକୁ ଆସିଯାଇଥିଲେ।
ଅନ୍ୟପକ୍ଷରେ ଭିକାରିମାନଙ୍କୁ ପରିଚୟ ପ୍ରଦାନ ଲାଗି ସାଧାରଣରେ ଦାବି ହୋଇଛି। ଆଇନଜୀବୀ ଅନିଲ କୁମାର ସାହୁ କୁହନ୍ତି, ପୁରୀ ଅନ୍ତଜାର୍ତୀୟ ପର୍ଯ୍ୟଟନ ସହର। ମହାପ୍ରଭୁଙ୍କ ଦର୍ଶନ ଲାଗି ଦୈନିକ ଲକ୍ଷାଧିକ ଭକ୍ତ ଏଠାକୁ ଆସୁଛନ୍ତି। ଶ୍ରୀମନ୍ଦିର ସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ଏହାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଲାଗି ଜାତୀୟ ସୁରକ୍ଷା ଏଜେନ୍ସି ବାରମ୍ବାର ରାଜ୍ୟ ସରକାରଙ୍କୁ ସୂଚାଇ ଆସୁଛନ୍ତି। ଉପରୋକ୍ତ ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀକ୍ଷେତ୍ରରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଭିକାରି ବେଶରେ କୌଣସି ଆତଙ୍କବାଦୀ ଚାଲିଆସନ୍ତି, ତେବେ ବିପଦ ଘଟିପାରେ। ଏଥିପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି।