ମାଲ୍‌ ଗାଡ଼ିରେ ଲୁଚି ପଳାଉଥିଲେ ୨୦ ଶ୍ରମିକ

କେନ୍ଦୁଝର,୪ା୫(ଡି.ଏନ୍‌.ଏ./ସ୍ବ.ପ୍ର.)-ସାରା ଦେଶ ସମେତ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହାଫଳରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଶ୍ରମିକମାନେ କେନ୍ଦୁୁଝର ଜିଲା ଦେଇ ନିଜ ନିିଜ ଗଁାକୁ ପଳାଇ ଯିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ସୋମବାରଠାରୁ ଲକ୍‌ଡାଉନ୍‌ ସାମାନ୍ୟ କୋହଳ ହେଉଥିବା ଜାଣି ଝାଡ଼ଖଣ୍ଡ ଓ ବିହାରର ୨୦ଜଣ ଶ୍ରମିକ ଗାଡ଼ି ନ ପାଇବାରୁ କେନ୍ଦୁଝରକୁ ଆସୁଥିବା ଏକ ମାଲବାହୀ ଟ୍ରେନରେ ଇଞ୍ଜିନ ଚାଳକଙ୍କ ଅଜାଣତରେ ଲୁଚି ପଳାଇ ଆସିଥିଲେ। ନରଣପୁରଠାରେ ମାଲବାହୀ ଟ୍ରେନ୍‌ ଅଟକିବା ଦେଖି ଶ୍ରମିକମାନେ କୌଶଳକ୍ରମେ ଟ୍ରେନରୁ ଓହ୍ଲାଇ ଷ୍ଟେଶନ ପଛପଟ ରାସ୍ତାରେ ପାର ହୋଇ ଚାଲି ଚାଲି କେନ୍ଦୁଝର ସହର ଆଡକୁ ଆସୁଥିବା ସମ୍ପର୍କରେ ପ୍ରଶାସନକୁ ଖବର ମିଳିଥିଲା। ପ୍ରଶାସନିକ ଅଧିକାରୀମାନେ ଖବରପାଇ ସେମାନଙ୍କୁ କେନ୍ଦୁଝର ତହସିଲ ଛକରେ ଅଟକ ରଖି ପଚରାଉଚରା କରିଥିଲେ। ଏହାପରେ ସମସ୍ତ ୨୦ଜଣ ଶ୍ରମିକଙ୍କୁ ଗମ୍ଭାରିଆଠାରେ କରାଯାଇଥିବା ସଙ୍ଗରୋଧ ଗୃହକୁ ପଠାଇ ଦିଆଯାଇଛି। ଏହି ଶ୍ରମିକମାନେ କେନ୍ଦୁଝର ବାଟ ଦେଇ ଚମ୍ପୁଆପଟେ ଝାଡ଼ଖଣ୍ଡ ରାଜ୍ୟକୁ ପଳାଇଯିବାକୁ ଚାହୁଁଥିଲେ ବୋଲି ଜଣାପଡ଼ିଛି। ଏ ବାବଦରେ ଜିଲା ପ୍ରଶାସନ ତରଫରୁ ଝାଡ଼ଖଣ୍ଡ ସରକାରଙ୍କୁ ଅବଗତ କରାଯାଇଛି, ସେଠାରୁ ସୂଚନା ଆସିଲେ ଶ୍ରମିକମାନଙ୍କୁ ଝାଡ଼ଖଣ୍ଡ ପଠାଯିବ ବୋଲି ଜଣାପଡିଛି।