ଘନଉଛି ପରିବା ସଙ୍କଟ, ଚିନ୍ତାରେ ଚାଷୀ

କଟକ ଅଫିସ/ ଆଠଗଡ଼(ସ୍ବ.ପ୍ର),୨୮ା୩:ବାଦାମବାଡ଼ି ମୁଖ୍ୟରାସ୍ତାରେ ଶୁକ୍ରବାରଠାରୁ ଖୋଲିଛି ପରିବା ହାଟ। ଛତ୍ରବଜାରରେ ମାତ୍ରାଧିକ ଜନଗହଳି ହେବାରୁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବାଦାମବାଡ଼ି ମୁଖ୍ୟ ରାସ୍ତାକୁ ଏହି ହାଟକୁ ଉଠାଇ ଅଣାଯାଇଛି। ‘ଲକ୍‌ଡାଉନ୍‌’ ବଳବତ୍ତର ଥିବାରୁ ଏହି ରାସ୍ତା ଏବେ ପୂରା ଫାଙ୍କା। ନିୟମ ମାନି ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ ରହି ଲୋକଙ୍କୁ ପରିବା କିଣିବାକୁ ସଚେତନ କରାଯାଉଛି। ତେବେ ବର୍ତ୍ତମାନ ପରିସ୍ଥିତିରେ କଟକକୁ ପରିବା ଆମଦାନୀ ହ୍ରାସ ପାଇଲାଣି। ପୂର୍ବାପେକ୍ଷା ୪୦ ପ୍ରତିଶତ କମ୍‌ ପରିବା ଆସୁଛି ବୋଲି ଛତ୍ରବଜାର ପୂଜା କମିଟି ସଭାପତି ତଥା ବ୍ୟବସାୟୀ ଦେବେନ୍ଦ୍ରନାଥ ସାହୁ କହିଛନ୍ତି। ଏଠାକୁ କଟକ ଜିଲାର ବିଭିନ୍ନ ସ୍ଥାନ ଯଥା ଆଠଗଡ଼, ବାଙ୍କୀ, ସାଲେପୁର ସମେତ ଉପକଣ୍ଠ ବୟାଳିଶ ମୌଜା, ଚୌଦ୍ୱାର ଅଞ୍ଚଳରୁ ପରିବା ଆସିଥାଏ। ବଲାଙ୍ଗୀର, ଅନୁଗୋଳ, ବରଗଡ଼, କେନ୍ଦୁଝର ଜିଲାରୁ ମଧ୍ୟ ଚାଷୀମାନେ ପରିବା ପଠାନ୍ତି। ହେଲେ ଏବେ କଟକଣା ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଚାଷୀମାନେ ମଧ୍ୟ କରୋନା ଭୟରେ ବ୍ୟବସାୟଠାରୁ ଦୂରରେ ରହିଛନ୍ତି। ତେଣୁ ଆମଦାନୀ ଦିନକୁ ଦିନ କମୁଛି ବୋଲି ସାହୁ ପ୍ରକାଶ କରିଛନ୍ତି। ପରିବା ବିକ୍ରି କମିଥିବାରୁ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଆଉ ୧୦ ଦିନ ପରେ କ’ଣ ହେବ ତାହା କହିବା ମୁସ୍କିଲ ବୋଲି ଅନ୍ୟ ଜଣେ ପରିବା ବ୍ୟବସାୟୀ କହିଛନ୍ତି। ଖରାଦିନ ଯୋଗୁ ପରିବା ଉତ୍ପାଦନ ମଧ୍ୟ କମିଲାଣି। ଆଗାମୀ ଦିନରେ ସହରରେ ପରିବା ସଙ୍କଟ ଦେଖାଦେବ ବୋଲି ଆଶଙ୍କା ଉପୁଜିଲାଣି।