ଘଣ୍ଟାରେ ୨୩ଥର ମୁହଁରେ ହାତ ମାରନ୍ତି ଲୋକେ !

ଓ୍ବାଶିଂଟନ,୩୧।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏପରିସ୍ଥଳେ ହାତରେ ମୁହଁ, ଆଖି ନାକ, ପାଟି, କାନ ଆଦିକୁ ସ୍ପର୍ଶ ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହାଦ୍ୱାରା କରୋନା ସଂକ୍ରମଣରୁ ଦୂରେଇ ରହିହେବ ବୋଲି କୁହାଯାଇଛି। ତେବେ ପ୍ରତି ଲୋକ ଘଣ୍ଟାରେ ହାରାହାରି ୨୩ ଥର ମୁହଁରେ ହାତ ମାରିଥାନ୍ତି ବୋଲି  ନ୍ୟୁ ସାଉଥ୍‌ ଓ୍ବେଲସ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ଅଭ୍ୟାସ ଦ୍ୱାରା ସହଜରେ ବିଭିନ୍ନ ସଂକ୍ରମଣ ହୋଇଥାଏ। ଏନେଇ ଗବେଷକଙ୍କ ପକ୍ଷରୁ କିଛି ଶିକ୍ଷାର୍ଥୀଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ସେମାନଙ୍କୁ ଏକ ବଡ଼ ହଲ୍‌ରେ ବସାଯାଇଥିଲା। ଏହାପରେ ସେମାନଙ୍କର ପ୍ରତିଟି କାର୍ଯ୍ୟ ଏବଂ ବ୍ୟକ୍ତିଗତ ଅଭ୍ୟାସର ଭିଡ଼ିଓ ରେକର୍ଡିଂ କରାଯାଇଥିଲା। ଜଣାପଡ଼ିଥିଲା ଘଣ୍ଟାଏ ମଧ୍ୟରେ ଶିକ୍ଷାର୍ଥୀମାନେ ହାରାହାରି ୨୩ ଥର ମୁହଁ, ନାକ, ପାଟି, କାନ ଏବଂ କେଶରେ ହାତ ମାରିଥିଲେ। ମାନସିକ ଚାପ ବଢ଼ିଲେ ଏହି ପ୍ରକ୍ରିୟା ଅଧିକ ଥର ହେଉଥିବାର ଅନୁଧ୍ୟାନ ମଧ୍ୟ କରାଯାଇଥିଲା।

Share